କରୋନା ଯୋଦ୍ଧାଙ୍କ ରୋଲ ମଡେଲ ଷ୍ଟ୍ରିଟ୍ ଭେଣ୍ଡର : କୋଭିଡ ଟିକା ନେଇଥିବା ଗ୍ରାହକଙ୍କୁ ମାଗଣାରେ ଦେଉଛନ୍ତି ଖାଦ୍ୟ , ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ,

115

କନକ ବ୍ୟୁରୋ: କଥାରେ ଅଛି ଉଦ୍ଦେଶ୍ୟ ମହତ ଥିଲେ ସବୁ ପ୍ରତିବନ୍ଧକ ହାର ମାନେ । କାମ ଛୋଟ କି ବଡ ନୁହେଁ ବରଂ ଗୁରୁତ୍ୱପୂର୍ଣ୍ଣ ହେଉଛି କାର୍ଯ୍ୟର ଉଦ୍ଦେଶ୍ୟ । ଏହାକୁ ପ୍ରମାଣିତ କରିଛନ୍ତି ହରିୟାଣାର ଜଣେ ଉଠା ବ୍ୟବସାୟୀ । ଆଜିକା ଦିନରେ କେମିତି ଭଲ ଦି ପଇସା ରୋଜଗାର କରି ନିଜେ କେମିତି ଭଲରେ ଚଳିବେ ସମସ୍ତଙ୍କର ସେଇ ଚିନ୍ତା । କିନ୍ତୁ ନିଜେ ଅଭାବରେ ରହି ସମାଜ ପାଇଁ କିଛି କରିଯିବା ନିଶା ହାତ ଗଣତି ଲୋକଙ୍କ ମନରେ ଥାଏ । ସେଭଳି ଜଣେ ବଦାନ୍ୟ ବ୍ୟକ୍ତି ହେଉଛନ୍ତି ଚଣ୍ଡିଗଡର ସଂଜୟ ରାଣା । ଚଣ୍ଡିଗଡର ରାସ୍ତାକଡରେ ଛୋଲେ ଭତୋରେ ବିକ୍ରି କରନ୍ତି । ବୃତ୍ତି ୫ ଶହରୁ ହଜାରେ ଟଙ୍କାର ଲକ୍ଷ କିନ୍ତୁ ଅମୂଲମୂଲ । କରୋନାର କୋରଡା ମାଡରେ ଅନେକ ମାନସିକ ଯନ୍ତ୍ରଣା ଭୋଗୁଥିବା ବେଳେ ସେ କିନ୍ତୁ ହାରିନଥିଲେ । ବରଂ ଦେଶ କିପରି ଏହି ମହାମାରୀରୁ ମୁକ୍ତ ହୋଇପାରିବ ତାଙ୍କ ମନକୁ ଘାରିଥିଲା ଏହି ଚିନ୍ତା । ସାଇକେଲରେ ଭଳିକି ଭଳି ଖାଦ୍ୟର ପସରା ଆଉ ଆଗରେ କାର୍ଡବୋର୍ଡରେ ମ୍ୟାସେଜ୍ “କରୋନା କେ ଭ୍ୟାକ୍ସିନ୍ ଲଗାକେ ଆୟେଁ ଔର ଫ୍ରି ମେଁ ଛୋଲେ ଭତୋରେ ଖାଏଁ” ।


ତେବେ ତାଙ୍କ ମନକୁ କିପରି ଆସିଲା ଏପରି ମହତ ଭାବନା? ଏନେଇ ପଚାରିବାରୁ ସଂଜୟ କୁହନ୍ତି : ଗତ ଦୁଇ ମାସ ତଳେ ସେ ଟିଭିରେ ଦେଖିଥିଲେ ହିମାଚଳପ୍ରଦେଶ ବିଧାୟକ ତାଙ୍କ କାର୍ଯ୍ୟାଳୟ ଅଗରେ ଏକ ବୋର୍ଡରେ କରୋନା ପ୍ରତିଷେଧକ ବାର୍ତା ଲେଖି ଝୁଲାଇଥିଲେ । ଯେଉଁଥିରେ ଲେଖାଥିଲା ‘ଟିକା ନନେଇଥିବା ଲୋକଙ୍କୁ ଅଫିସ୍ ମନା’ ଏହାକୁ ଦେଖି ତାଙ୍କ ଦୁଇ ଝିଅ ରିୟା ଓ ରିଧିମା ଉତ୍ସାହିତ ହୋଇଥିଲେ । ଟିକା ନେବାକୁ ସାଧାରଣ ଲୋକଙ୍କୁ ସଚେତନ କରିବାକୁ ମାଗଣାରେ ଛୋଲେ ଭତୋରେ ଦେବାକୁ କହିଥିଲେ । ପିଲାମାନଙ୍କ ଏପରି ଚନ୍ତା ସଂଜୟଙ୍କୁ ମଧ୍ୟ ପ୍ରଭାବିତ କରିଥିଲା । ଆଉ ଏହାକୁ ସାକାର କରିବାକୁ ସେ ବାହାରି ପଡିଥିଲେ ।

ପ୍ରତିଦିନି ସେ ୨୫ରୁ ୩୦ଜଣ ଟିକାନେଇଥିବା ଗ୍ରାହକଙ୍କୁ ମାଗଣାରେ ଛୋଲେ ଭତୋରେ ପ୍ଲେଟ ବଢାଇଦିଅନ୍ତି ।ଅନ୍ୟମାନଙ୍କୁ ଏବିଷୟରେ କହିବାକୁ ମଧ୍ୟ ଗ୍ରାହକଙ୍କୁ ଅନୁରୋଧ କରନ୍ତି । ଏପରି କାର୍ଯ୍ୟରେ ଯଦିଓ ତାଙ୍କ ବ୍ୟବସାୟରେ ବଡ କ୍ଷତି ହେଉଛି ତଥାପି ସେ ଏକ ସୁସ୍ଥ ସମାଜ ଫେରାଇ ଆଣିବାକୁ ଏପରି ପ୍ରୟାସ ଜାରି ରଖିଛନ୍ତି । ଫଳରେ ତାଙ୍କ ଭଳି ଅନେକ ଖୁଚୁରା ବ୍ୟବସାୟୀ ପୁଣିଥରେ ନିଜ କର୍ମ ଆରମ୍ଭ କରିପାରିବେ ବୋଲି କହିଛନ୍ତି ସଂଜୟ । ତାଙ୍କର ଏଭଳି ସମାଜ ହିତୈଷୀ କାର୍ଯ୍ୟ ପାଇଁ ରାଜ୍ୟ ଠାରୁ ଦେଶ ସବୁଠି ଚର୍ଚ୍ଚା । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତରେ ସଂଜୟଙ୍କ ପ୍ରଶଂସାରେ ଶତମୁଖ ହେବା ପରେ ସ୍ଥାନୀୟ ପ୍ରଶାସନ ଓ ଅଧିକାରୀଙ୍କ ଠାରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଗୁଣ୍ଡୁଚି ମୂଷା ରାମସେତୁରେ ନିଜ ବାଲି ଦେହକୁ ଝାଡିଦେଇ ବନ୍ଧ ବାନ୍ଧିବାର ଚେଷ୍ଟା କରିବା ପରି ସଂଜୟ ମଧ୍ୟ ଗୁଣ୍ଡୁଚି ମୂଷା ପରି ନିଜକୁ ସାମିଲ କରିଛନ୍ତି ସମାଜ ସୁଧାରକ କାର୍ଯ୍ୟରେ । ‘ଲିଭ୍ ସିମ୍ପଲ ଥିଙ୍କ ହାଇ’ ପରି ବାର୍ତା ଦେଇ ସମସ୍ତଙ୍କ ପାଇଁ ପାଲଟିଛନ୍ତି ରୋଲ ମଡେଲ ।