କନକ ବ୍ୟୁରୋ : ଚଣ୍ଡିଗଡର ଏକ ସରକାରୀ ମେଣ୍ଟାଲ ହସ୍ପିଟାଲକୁ ବମରେ ଉଡାଇଦେବାକୁ ଧମକ ମିଳିଛି । ହସ୍ପିଟାଲକୁ ବମରେ ଉଡାଇଦେବା ଧମକ ମିଳିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ହସ୍ପିଟାଲ୍ ଏବଂ ଆଖପାଖ ଅଞ୍ଚଳକୁ ଖାଲି କରାଯାଉଛି । ଚଣ୍ଡିଗଡ ପୋଲିସ, ଯବାନ ଏବଂ ଅଗ୍ନିସମ ବାହିନୀ ଆସି ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି
ମିଳିଥିବା ସୂଚନା ଅନୁସାରେ, ଚଣ୍ଡିଗଡର ସେକ୍ଟର ୩୨ରେ ଏହି ସରକାରୀ ମେଣ୍ଟାଲ୍ ହସ୍ପିଟାଲ୍ ରହିଛି । ଏହି ହସ୍ପିଟାଲକୁ ବମ୍ ସାହାଯ୍ୟରେ ଉଡାଇଦେବାକୁ ମେଲ୍ ଜରିଆରେ ଧମକ ଆସିଛି । ମେଲରେ ଲେଖାଯାଇଛି, କିଛି ସମୟ ମଧ୍ୟରେ ଏହି ହସ୍ପିଟାଲକୁ ବମରେ ଉଡାଇଦିଆଯିବ । ଧମକ ଭରା ମେଲ୍ ପାଇବା ପରେ ଘଟଣାସ୍ଥଳରେ ଚଣ୍ଡିଗଡ ପୋଲିସର ସିନିୟର ଅଧିକାରୀ, ଅପରେସନ୍ ସେଲ ଟିମ୍, ଉଦ୍ଧାରକାରୀ ଟିମ୍, କ୍ରାଇମବ୍ରାଞ୍ଚ ଟିମ୍ ଏବଂ ଯବାନ ଆସି ପହଞ୍ଚିଛନ୍ତି । ଏହି ଅଞ୍ଚଳରେ ସ୍କୁଲ, କଲେଜ୍ ରହିଛି ଅନେକ ଦୋକାନବଜାର ରହିଛି । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରସ୍ତ ଅଞ୍ଚଳକୁ ଖାଲି କରାଯାଉଛି । ଏବଂ କଡାକଡି ଭାବେ ଯାଞ୍ଚ ଚାଲିଛି । ଚଣ୍ଡିଗଡରେ ଏହି ମେଣ୍ଟାଲ ହସ୍ପିଟାଲରେ ୧୦୦ରୁ ଅଧିକ ରୋଗୀ ଥିବା ବେଳେ ଅନେକ ଡାକ୍ତର ରହିଛନ୍ତି । ଧମକ ମିଳିବା ପରେ ପୂରା ହସ୍ପିଟାଲକୁ ଖାଲି କରିଦିଆଯାଇଛି । ଘଟଣାସ୍ଥଳରେ ବମ୍ ସ୍କ୍ୱାର୍ଡ ମୁତୟନ ହେବା ସହ ବମ୍ ଅଛି କି ନାହିଁ ତାହା ଯାଞ୍ଚ କରୁଛି । ତେବେ କିଏ ଏବଂ କେଉଁ ଉଦେଶ୍ୟରେ ଏହି ମେଲ କରିଛି ତାହା ଏବେଯାଏଁ ସ୍ପଷ୍ଟ ହୋଇନି