ଦିନରେ କଲବଲ କରୁଛି ଗ୍ରୀଷ୍ମ ପ୍ରବାହ: ସାଢ଼େ ୨ଟା ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର, ତାତି ଟପିଲା ୩୯ ଦଶମିକ ୬ ଡିଗ୍ରୀ

213

କନକ ବ୍ୟୁରୋ: ଆଜି ବି ଖରାରେ ସିଝୁଛି ସାରା ଓଡିଶା । ପ୍ରମୁଖ ସ୍ଥାନଗୁଡିକରେ ଦିନ ସାଢେ ୨ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ୩୯.୬ ଡିଗ୍ରୀ ସହ ଚାନ୍ଦବାଲି ଉତପ୍ତ ସହର ହୋଇଛି । ଭୁବନେଶ୍ୱର ବି ତତଲା ସହର ପାଲଟିଛି । ଏଠାରେ ତାପମାତ୍ରା ୩୯.୪ ଡିଗ୍ରୀ ରହିଛି । ଝାରୁସୁଗୁଡା ବି ତାପମାତ୍ରା ୩୯ ଡିଗ୍ରୀ ଅଛି । ବାଲେଶ୍ୱର, ସମ୍ବଲପୁର , ହୀରାକୁଦରେ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ ରହିଛି । ରାଉରକେଲାରେ ବି ତାପମାତ୍ରା ୩୮.୧ ଡିଗ୍ରୀ ସେଲସିୟସ ଅଛି । ଆଗକୁ ବି ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଅଂଶୁଘାତ ଓ ଡାଇରିଆ ବ୍ୟାପିବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଡାକ୍ତରଖାନାକୁ ପ୍ରସ୍ତୁତ ରଖିବା ସହ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ଟ୍ୱିଟ୍ କରି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । କାଲିଠୁ ରାଜ୍ୟକୁ ପୁଣି ଫେରିବ ତାତି । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି । କେତେକ ସ୍ଥାନରେ ୪୦ ଡିଗ୍ରୀ ପାର୍ କରିବ ପାରଦ । ନିମ୍ନ ଚାପ ରେଖା ଓ କାଳବୈଶାଖୀ ପାଇଁ ତାତି ସାମାନ୍ୟ ହ୍ରାସ ପାଇଥିବା ବେଳେ ଏବେ ପୁଣି ପ୍ରବଳ ଗରମ ଅନୁଭୂତ ହେବ । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ୨ ତାରିଖଠାରୁ ଦିନ ସହ ରାତିର ତାପମାତ୍ରା ମଧ୍ୟ ବଢ଼ିବ । ଗରମ ସହ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ରାତି ତାପମାତ୍ରା ବୃଦ୍ଧି ପାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥିବା କହିଛନ୍ତି ପାଣିପାଗ ବିଜ୍ଞାନି ଉମାଶଙ୍କର ଦାସ ।