ଆଶା ବଢାଇଲା ଇସ୍ରୋ । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅଛି ଲ୍ୟାଣ୍ଡର ବିକ୍ରମ,ଯୋଗଯୋଗ ସ୍ଥାପନ ପାଇଁ ପ୍ରୟାସ ଜାରି ।

1,724

କନକ ବ୍ୟୁରୋ: ଆଶା ବଢାଇଲା ଇସ୍ରୋ । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅଛି ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି । ଇସ୍ରୋ କହିଛି ଲ୍ୟାଣ୍ଡର ବିକ୍ରମ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି । ୧୪୭୧ କେଜିର ବିକ୍ରମର ଗୋଡ ଗୁଡିକ ମଧ୍ୟ ସୁରକ୍ଷିତ ଅଛି । ଏଥିରୁ ଅନୁମାନ କରାଯାଇପାରେ ଯେ ବିକ୍ରମ ଠିକ ଭାବରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାଇପାରେ । ତେବେ ଯୋଗାଯୋଗ ବିଚ୍ଚିନ୍ନ ହୋଇଯାଇଥିବାରୁ କୌଣସି ସଂପର୍କ ସ୍ଥାପନ କରାଯାଇପାରିନାହିଁ ।

ଅନ୍ୟପଟେ ଏଭଳି ମଧ୍ୟ ହୋଇଥାଇପାରେ ଯେ, ଚନ୍ଦ୍ରପୃଷଠରେ ବିକ୍ରମ ଠିକ ଭାବରେ କାମ କରୁଥିବ । ତେବେ ବିକ୍ରମର ଜୀବନ କାଳ ୧୪ ଦିନ ହୋଇଥିବାରୁ ଏହି ସମୟ ମଧ୍ୟରେ ଯୋଗାଯୋଗ ସ୍ଥାପନ କରାଯିବା ଦରକାର । ନଚେତ୍ ବିକ୍ରମ ହାସଲ କରିଥିବା ତଥ୍ୟ ପୃଥିବୀକୁ ଆସିପାରିବ ନାହିଁ । ତେବେ ଇସ୍ରୋ ଥର୍ମାଲ ଇମେଜରୁ ଏହି ତଥ୍ୟ ପାଇଥିବା ନେଇ ଅନୁମାନ କରାଯାଉଛି ।

ସେପଟେ ବିକ୍ରମ ଲ୍ୟାଣ୍ଡରର ସନ୍ଧାନ ଗତାକାଲି ମିଳିଥିବା କହିଥିଲେ ଇସ୍ରୋ ମୁଖ୍ୟ କେ. ଶିବନ୍ । ଟ୍ୱିଟ୍ କଲେ ଯେ, ଲାଣ୍ଡର ବିକ୍ରମର ଅବସ୍ଥିତି ଜଣାପଡିଯାଇଛି । ଅରବିଟର, ଲାଣ୍ଡର ବିକ୍ରମର ଥର୍ମାଲ ଫଟୋ ପଠାଇପାରିଛି । ଚନ୍ଦ୍ରର ଶହେ କିଲୋମିଟର ଉଚ୍ଚତାରେ ପ୍ରଦକ୍ଷଣ କରୁଥିବା ଚନ୍ଦ୍ରଯାନ-୨ର ଅର୍ବିଟର ବିକ୍ରମର ଥର୍ମାଲ ଫଟୋ ଉଠାଇ ତାହାକୁ ଇସ୍ରୋକୁ ପଠାଇଛି । ଏହି ଘଟଣା ପରେ ବିକ୍ରମ ସହ ଯୋଗାଯୋଗ ପାଇଁ ଇସ୍ରୋ ଆଶାବାଦୀ ହୋଇପଡିଛି ।