ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିଲେ ଠାକୁର । କରୋନା କଟକଣା ଭିତରେ ପାଳନ କରାଗଲା ପରମ୍ପରା । ରଥ ନିର୍ମାଣ ପାଇଁ ବିଜେ ହେଲା ଆଜ୍ଞା ମାଳ ।

168

କନକ ବ୍ୟୁରୋ: କରୋନା କଟକଣା ଭିତରେ ପରମ୍ପରା ଅନୁଯାୟୀ ନରେନ୍ଦ୍ର ପୁଷ୍କରଣୀରରେ ଚାପ ଖେଳିଛନ୍ତି ମହାପ୍ରଭୁ । ଏଥିିସହ ଆଜି ଅନୁକୂଳ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ପୂଜାପାଠ କରାଯାଇ ରଥଯାତ୍ରା ନୀତି ଆରମ୍ଭ ହୋଇଛି । ସେହିପରି ଅଖିମୁଠି ପକାଇ ଆଜିଠାରୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ମହାମାରୀ କରୋନା ସାରାଦେଶକୁ କଲବଲ କରୁଥିବାବେଳେ ମାନବୀୟ ଲୀଳା କରିଛନ୍ତି ମହାପ୍ରଭୁ । ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଛି ଚନ୍ଦନ ଯାତ୍ରା । ସୁସଜ୍ଜିତ ନନ୍ଦା ଆଉ ଭଦ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିଛନ୍ତି ଶ୍ରୀଜୀଉ । ହେଲେ, ବିନା ଭକ୍ତରେ ଚନ୍ଦନ ଯାତ୍ରା ହୋଇଛି । ଯେମିତି କୌଣସି ଭକ୍ତ ଆସି ନପାରିବେ ସେଥିପାଇଁ ପୁଷ୍କରିଣୀ ଚାରିପଟେ ୧୪୪ ଧାରା ଜାରି କରାଯାଇଛି । କେବଳ ସୀମିତ ସେବାୟତରେ ଜଳକ୍ରୀଡା କରିଛନ୍ତି ମହାପ୍ରଭୁ ।

ଚନ୍ଦନଯାତ୍ରା ପରି କରୋନା କଟକଣା ଭିତରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି । ପରମ୍ପରା ଅନୁସାରେ ଶ୍ରୀମନ୍ଦିରରୁ ଆସିଥିଲା ଆଜ୍ଞାମାଳ । ତାପରେ ପୂଜାପାଠ କରାଯାଇ ଅନୁକୂଳ ହୋଇଛି ରଥଯାତ୍ରା ନୀତି । ସୀମିତ ସେବାୟତଙ୍କୁ ନେଇ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଛି ।

ପରମ୍ପରା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରୁ ଚାଷୀମାନେ ଅଖିମୁଠି ପକାଇ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । କୃଷିମନ୍ତ୍ରୀ ଅରୁଣ ସାହୁ ଅଖିମୁଠି ପକାଇ ଚାଷ କାର୍ଯ୍ୟର ଅନୁକୂଳ କରିଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ହଳ କରି ଅଖୀମୁଠି ପକାଇ ଚାଷର ଅନୁକୁଳ କରିଛନ୍ତି ।

ତେବେ ଅକ୍ଷୟ ତୃତୀୟାରେ ନାହିଁ ସୁନା କିଣିବାକୁ ଆଗ୍ରହ । ଏହିଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଭାରତୀୟମାନଙ୍କ ବିଶ୍ୱାସ ରହିଛି । ସାଧାରଣ ଦିନମାନଙ୍କରେ ଏହି ଦିନ ସୁନାର ଚାହିଦା ବହୁତ ବଢିଯାଏ । ସୁନା ବ୍ୟବସାୟୀମାନେ ଖୁବ ଭଲ ବ୍ୟବସାୟ କରୁଥିବାବେଳେ ଦୁଇବର୍ଷ ହେଲାଣି ବେପାର ମାନ୍ଦା ପଡିଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ ମହାମାରୀ କରୋନା ସୁନା ବଜାରକୁ ସଂପୂର୍ଣ୍ଣ ଠପ କରିଦେଇଛି ।