କନକ ବ୍ୟୁରୋ: ରଥଯାତ୍ରା ଓ ଚନ୍ଦନଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋଇ ସର୍ଦ୍ଦାରଙ୍କୁ ଚିଠି ଲେଖାଯାଇଛି । ଅକ୍ଷୟ ତୃତୀୟାରୁ ରଥକାମ ଓ ଚନ୍ଦନଯାତ୍ରା କାର୍ଯ୍ୟ ଆରମ୍ଭ ହେବ । ଚନ୍ଦନ ଯାତ୍ରା ପୂର୍ବରୁ ଚାପ ନାହା ମରାମତି କରାଯିବ । ନରେନ୍ଦ୍ର ପୁଷ୍କରଣୀରୁ ଚାପ ନାହା କାଢ଼ିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଏହି ସମୟରେ ସାମାଜିକ ଦୂରତା ରଖି କାର୍ଯ୍ୟ କରିବାକୁ କୁହାଯାଇଛି । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରତିବର୍ଷ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।
ଅନ୍ୟପଟେ ଆସନ୍ତା ଜୁନ ୨୩ରେ ପଡ଼ୁଥିବା ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଏବେ ଅନଶ୍ଚିତତା ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ସମୟରେ ରଥଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ନା କଟକଣା ଯୁକ୍ତ ରଥଯାତ୍ରା ପାଳନ କରାଯିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। କଟକଣା ଯୁକ୍ତ ରଥଯାତ୍ରା ହେଲେ ଏହା କିଭଳି ହେବ, ସମାଜିକ ଦୂରତା ଓ ବାହାର ପର୍ଯ୍ୟଟକଙ୍କୁ ଅନୁମତି ମିଳିବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଏହି ୯ ଦିନର ଘୋଷଯାତ୍ରାରେ ପ୍ରତିଦିନ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପୁରୀ ଆସିଥା’ନ୍ତି। ସେହିଭଳି ବାହୁଡ଼ା ଯାତ୍ରା ଓ ସୁନାବେଶ ଦେଖିବା ପାଇଁ ମଧ୍ୟ ୧୫ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ପୁରୀକୁ ୫୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏତେ ସଂଖ୍ୟକ ଭକ୍ତଙ୍କୁ ରୋକିବା ପାଇଁ ସରକାର କିଭଳି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଛି।
Follow Us