ସାହାଯ୍ୟ ମିଳିଲେ ପାଠ ପଢିବ ଚନ୍ଦନ । ଗରିବ ମେଧାବୀ ପୁଅକୁ ସାହା ହୁଅ ସରକାର ।

81

କନକ ବ୍ୟୁରୋ : ପୁଅର ସ୍ୱପ୍ନ ସାକାର କରିବା ପାଇଁ ଚିନ୍ତାରେ ବୁଣାକାର ବାପା-ମାଆ । ପୁଅ ପିଲାଟି ଦିନରୁ ଭଲ ପଢୁଛି । ଏବେ ଜେଇ ମେନ୍ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ରଖି ଆଇଆଇଟିରେ ପଢିବା ପାଇଁ ଆଶା ରଖିଛନ୍ତି । ହେଲେ ତାଙ୍କ ଉଚ୍ଚଶିକ୍ଷା ପାଇଁ ଅର୍ଥ ବାଧକ ସାଜିଛି ।

ତନ୍ତଶାଳାରେ ବସି ଲୁଗା ବୁଣୁଛନ୍ତି ଜଣେ ମେଧାବୀ ଛାତ୍ର । ତନ୍ତରୁ ରୋଜଗାର ହେଉଥିବା ଅର୍ଥରେ ପାଠ ପଢି ଉଚ୍ଚ ଶିକ୍ଷିତ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏ କାହାଣୀ ହେଉଛି କଟକ ଜିଲ୍ଲା ତିଗିରିଆ ବ୍ଲକ ନୂଆପାଟଣା ଗାଁର ଚନ୍ଦନ ଦତ୍ତଙ୍କର । ଜେଇ ମେନରେ ୯୮ ଦଶମିକ ୪୨ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଚନ୍ଦନ ଆଇଆଇଟିରେ ପଢି ସଫ୍ଟୱେର ଇଂଜିନିୟର ହେବାକୁ ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ଲୁଗା ବୁଣାରୁ ରୋଜଗାର ହେଉଥିବା ଅର୍ଥ, ପୁଅର ଉଚ୍ଚଶିକ୍ଷା ପାଇଁ ନିଅଣ୍ଟ ହେଉଥିବାରୁ ଚିନ୍ତାରେ ଅଛନ୍ତି ଚନ୍ଦନଙ୍କ ବାପା-ମାଆ ।

ଚନ୍ଦନଙ୍କ ବାପା ଦୀପକ କୁମାର ଦତ୍ତ ଜଣେ ବୁଣାକାର । ପୁଅ ଆଇଆଇଟିରେ ପଢିବା ପାଇଁ ସ୍ୱପ୍ନ ଦେଖୁଛି, ଏଥିପାଇଁ ୭ରୁ ୮ ଲକ୍ଷ ଟଙ୍କା ଆବଶ୍ୟକ । ଯାହା ଲୁଗା ବୁଣାରୁ ଯୋଗାଇବା ଚନ୍ଦନଙ୍କ ବାପାଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ । ତେଣୁ ମେଧାବୀ ଛାତ୍ର ଓ ତାଙ୍କ ବାପା-ମାଆ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।

ପିଲାଟି ଦିନରୁ ଭଲ ପାଠ ପଢୁଥିବା ଚନ୍ଦନଙ୍କୁ ସହଯୋଗ ମିଳିଲେ ସେ ଆଗକୁ ମଧ୍ୟ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରର ନାଁ କରି ପାରନ୍ତେ । ସରକାରୀ ହେଉ ବା ବେସରକାରୀ ସ୍ତରରେ ସହଯୋଗ ମିଳିଲେ ତିଗିରିଆର ଏହି ମେଧାବୀ ଛାତ୍ର ଉଚ୍ଚ ଶିକ୍ଷା ଲାଭ କରିପାରନ୍ତେ ।