ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା : ଚାପ ଖେଳିବେ ମହାପ୍ରଭୁ

211

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ହେଲେ ବିନା ଭକ୍ତରେ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍ପରିଣୀ ଚାରିପାଟେ ୧୪୪ ଧାରା ଜାରି କରାଯାଇଛି ।

ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ନନ୍ଦା-ଭଦ୍ରାରେ ଚାପ ଖେଳିବେ। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି । କିନ୍ତୁ ଚଳିତ ବର୍ଷ କୋଭିଡ୍‌ ସଂକ୍ରମଣ ବଢ଼ି ଚାଲିଥିବାରୁ କଟକଣା ଭିତରେ ଚନ୍ଦନଯାତ୍ରା କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ବାର, ଶ୍ରୀମନ୍ଦିର କାର୍ଯ୍ୟାଳୟ, ବଡ଼ଦାଣ୍ଡ ସମେତ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବରେ ୨୧ ଦିନିଆ ୧୪୪ ଧାରା ଜାରି କରାଯାଇଛି ।

ଆଜି ଅପରାହ୍ଣ ୩ଟାରୁ ଜୁନ୍‌ ୪ ରାତି ୯ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସେବକ ସଂଖ୍ୟା ବି ସୀମିତ କରାଯାଇଛି। ପାସ ପାଇଥିବା ସେବକଙ୍କୁ ନୀତିକାନ୍ତି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହି କଟକଣାକୁ ମାନିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ପୁରୀବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । ଗତବର୍ଷ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଥିଲେ ବି କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ଶେଷ ମୁହୂର୍ତ୍ତରେ ଏହାକୁ ବନ୍ଦ କରି ଦିଆଯାଇଥିଲା । ଶ୍ରୀମନ୍ଦିର ଭିତରେ କେବଳ ପ୍ରତୀକାତ୍ମକ ଭାବେ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା। କିନ୍ତୁ ଚଳିତବର୍ଷ ଚନ୍ଦନଯାତ୍ରା ନୀତି ତଥା ପରମ୍ପରା ରକ୍ଷା ଉପରେ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ଗୁରୁତ୍ବ ଦେଇଛନ୍ତି।