ପେସା ଡାକ୍ତରୀ, ସଉକ ଗୀତ ଗାଇବା: ବ୍ରହ୍ମପୁର ଏମକେସିଜି ମେଡିକାଲ ଭେଷଜ ବିଭାଗ ଆସିଷ୍ଟାଂଟ ପ୍ରଫେସରଙ୍କ ନିଆରା କିର୍ତ୍ତୀ; ଡକ୍ଟର ସୁର ସମ୍ରାଟ ପ୍ରତିଯୋଗିତା ଜିତିଲେ ଚନ୍ଦନ ଗନ୍ତାୟତ

ପ୍ରଶଂସା କଲେ ବଲିଉଡ୍ ସିଂଗର ସାନ୍

558

କନକ ବ୍ୟୁରୋ: ପେସାଦାର ଗାୟକଙ୍କ ଭଳି ଗୀତ ଗାଉଥିବା ଏହି ବ୍ୟକ୍ତିଙ୍କ ପରିଚୟ ଆପଣଙ୍କୁ ଚମକାଇ ଦେଇପାରିବେ । ଅତି ସୁନ୍ଦର କଣ୍ଠରେ ଗୀତ ଗାଇପାରୁଥିବା ଏହି ବ୍ୟକ୍ତି ପେସାରେ ଜଣେ ଡାକ୍ତର । କରୋନା କଟକଣା ଭିତରେ ଦେଶର କାର୍ଯ୍ୟରତ ଡାକ୍ତରମାନଙ୍କୁ ନେଇ ଜାତୀୟ ସ୍ତରରେ ଚାଲିଥିଲା ସଂଗୀତ ପ୍ରତିଯୋଗିତା । ବିଭିନ୍ନ ରାଜ୍ୟରୁ ପ୍ରାୟ ୨ ହଜାର ଡାକ୍ତର ଏଥିରେ ଅଂଶଗ୍ରହଣ କରିଥିବାବେଳେ ଚୂଡାନ୍ତ ପର୍ଯ୍ୟାୟରେ ବାଜି ମାରିନେଇଛନ୍ତି ଓଡିଶାର ଏହି ଡାକ୍ତର ।

ଏକ ଘରୋଇ ସଂସ୍ଥା ପକ୍ଷରୁ ଡକ୍ଟର ସଂଗୀତ ସମ୍ରାଟ ନାମକ ଏକ ଅନଲାଇନ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ ଡାକ୍ତର ଚନ୍ଦନ ଗନ୍ତାୟତ । ଶେଷ ପର୍ଯ୍ୟାୟରେ ୧୦ ଜଣଙ୍କୁ ପଛରେ ପକାଇ ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ବିବେଚିତ ହୋଇଛନ୍ତି । ଫାଇନାଲ ରାଉଣ୍ଡରେ ବିଚାରକ ଥିବା ବଲିଉଡ ସିଙ୍ଗର ସାନ ମଧ୍ୟ ଡାକ୍ତର ଗନ୍ତାୟତଙ୍କ ଗାୟନ ଶୈଳୀକୁ ବେଶ ପ୍ରସଂଶା କରିଛନ୍ତି । ଜଣେ ଡାକ୍ତର ହୋଇ ପେସାଦାର ଗାୟକଙ୍କ ଭଳି ଗୀତ ଗାଉଥିବାରୁ ଭୂୟସୀ ପ୍ରସଂଶା କରିଛନ୍ତି ସାନ୍ ।

ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଜେଷଜ ବିଭାଗରେ ଆସିଷ୍ଟାଂଟ ପ୍ରଫେସର ଥିବା ଡାକ୍ତର ଚନ୍ଦନ ଗନ୍ତାୟତ, ଏବେ ବ୍ରହ୍ମପୁର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ହେଲେ ଗୀତ ଗାଇବା ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି । ଆଉ ଜାତୀୟ ସ୍ତରର ଏହି ସଂଗୀତ ପ୍ରତିଯୋଗିତାରେ ବିଜୟ, ତାଙ୍କୁ ଅନେକ ଲୋକପ୍ରିୟତା ଆଣିଦେଇଛି । କରୋନା କାଳରେ ଡାକ୍ତର ଗନ୍ତାୟତ, କୋଭିଡ ହସ୍ପିଟାଲରେ ନିୟୋଜିତ ହୋଇଥିଲେ ମଧ୍ୟ ସଂଗୀତ ପ୍ରତି ତାଙ୍କ ରୁଚି କାରଣରୁ ସାରାଦେଶର ଡାକ୍ତରମାନଙ୍କ ସହ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଯାହା ତାଙ୍କୁ ଅନନ୍ୟ ଭାବରେ ସ୍ୱୀକୃତି ଆଣି ଦେଇଛି ।