ମାତୃତ୍ୱର ବିଳାପ… ଭଦ୍ରକରୁ ଆସିଲା ମାଆ ମମତାର ଅମୂଲ୍ୟ ଚିତ୍ର…ନଡ଼ାରେ ତିଆରି ବାଛୁରୀକୁ ନିଜ ଛୁଆ ଭାବି ଅସୁମାରୀ ସ୍ନେହ ଆଉ ଶ୍ରଦ୍ଧା ଅଜାଡ଼ି ଦେଉଛି ମାଆ ଗାଈ

1,340

କନକ ବ୍ୟୁରୋ: ମାଆର ବାତ୍ସଲ୍ୟ ମମତାର ତୁଳନା ନାହିଁ, ଛୁଆ ପ୍ରତି ମାଆର ଅନାବିଳ ସ୍ନେହ ଅମୁଲ୍ୟ । ହେଲେ ଆମେ ଆପଣଙ୍କୁ ଏପରି ଖବର ଦେଖାଇବୁ ଯାହା ଆପଣଙ୍କୁ ଗପ ପରି ଲାଗିବ । କିନ୍ତୁ ଏହା ବାସ୍ତବରେ ସଂପୂର୍ଣ୍ଣ ସତ । ମାଆ ଗାଇଟି ତାର ଛୁଆକୁ ସବୁଦିନ ପାଇଁ ହରାଇ ଦେଇଛି । ହେଲେ ଛୁଆର ଚମଡାରେ ତିଆରି ହୋଇଥିବା ଏକ ବାଛୁରୀର ପ୍ରତିକୃତି ଉପରେ ମାଆ ଅଜାଡି ଦେଉଛି ଅଜ୍ରସ ସ୍ନେହ । ଏଭଳି ଏକ ଖବର ଆସିଛି ଭଦ୍ରକ ଚାନ୍ଦବାଲି ବ୍ଲକ ଇଟୁଆ ଗାଁରୁ ।

ଚାନ୍ଦବାଲି ବ୍ଲକ ଇଟୁଆ ଗାଁ ବିଜୟ କୁମାର ବାରିକଙ୍କ ପାଳିତ ଗାଈ ଗତ ଜାନୁୟାରୀ ମାସରେ ପ୍ରଥମ ଥର ବାଛୁରୀ ଜନ୍ମ ଦେଇଥିଲା । ଆଉ ବାଛୁରୀ ଜନ୍ମ ହେବା ପରେ ଗାଈ କ୍ଷୀର ପାଇବା ପାଇଁ ବିଜୟଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ଛୁଆ ବାଛୁରୀକୁ ପାଇ ସପରିବାର ନିଜର ପରିବାର ସଦସ୍ୟଭଳି ସ୍ନେହ ଶ୍ରଦ୍ଧା କରିଥିଲେ । ମାଆ ଗାଈ ମଧ୍ୟ ନିଜ ବାଛୁରୀ ପ୍ରତି ଉଜାଡ଼ି ଦେଉଥିଲା ବାତ୍ସଲ୍ୟ ମମତା । ମାତ୍ର ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଛୁଆ ବାଛୁରୀର ମୃତ୍ୟୁ ହୋଇଯାଇଥିଲା । ଆଉ ବାଛୁରୀ ମରିଯିବା ପରେ ମୃତ ବାଛୁରକୁ ବିଲରେ ଫୋପାଡ଼ି ଦେଇ ଆସିଥିଲେ ବିଜୟ । କିନ୍ତୁ ପଶୁ ହେଲେ ବି ସେ ଏକ ମାଆ ଆଉ ମାଆ କମ ତାର ଛୁଆକୁ ଛାଡି ରହିପାରିବ । ତେଣୁ ମୃତ ବାଛରୀକୁ ଛାଡ଼ି ଆସି ନଥିଲା ମାଆ ଗାଈ ଟି ଆଉ ମୃତ ଛୁଆଟିକୁ ସେହି ଭଳି ଚାଟି ଚାଟି ତାକୁ ଉଠାଇବାକୁ ଚେଷ୍ଟା କରୁଥିଲା ମାଆ ଗାଈଟି । ସତରେ ମଲା ଛୁଆ ପ୍ରତି ମାଆ ଗାଈର ଅସୁମାରୀ ମମତାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଚାଲିଆସିବ ।

ସେପଟେ ବାଛରୀ ବ୍ୟତିତ ଗାଈ ଆଉ କ୍ଷୀର ଦେବା ବି ବନ୍ଦ କରିଦେଇଥିଲା । ଏବଂ ପରେ କିଛି ଲୋକଙ୍କ ପରାମର୍ଶ କ୍ରମେ ମୃତ ବାଛୁରୀର ଚମଡ଼ା ବାହାର କରି ଶୁଖାଇ ତାକୁ କୁତ୍ରିମ ଉପାୟରେ ନଡ଼ା କୁଟା ବାଉଁଶ ବତାରେ ଆଛାଦିତ କରି ବାଛୁରୀ ରୂପ ଦେଇଥିଲେ । ଯାହକୁ ମାଆ ଗାଈ ତାର ବାଛୁରୀ ଭାବି ପୂର୍ବଭଳି ସ୍ନେହ ଅଜାଡ଼ି ଦେବା ସହ ପୁର୍ବ ଭଳି କ୍ଷୀର ମଧ୍ୟ ଦେବା ଆରମ୍ଭ କରିଛି । ତେବେ ଦୀର୍ଘ ୩ମାସ ହେବ ମୃତ ବାଛୁରୀର ଚମଡ଼ାରେ ନିର୍ମିତ କୁତ୍ରିମ ବାଛୁରୀକୁ ସ୍ନେହ ଅଜାଡ଼ି ଦେଉଛି ମାଆ ଗାଈ। ଆଉ ମୃତ୍ୟୁ ପରେ ମଳିନ ପଡ଼ିନାହିଁ ତାର ଛୁଆ ପ୍ରତି ରହିଥିବା ସେହି ସ୍ନେହ ଆଉ ଭଲ ପାଇବା ।