କନକ ବ୍ୟୁରୋ: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ପାଳନ ହୋଇଛି । ଏହି ସମାବର୍ତ୍ତନ ଉତ୍ସବର ପ୍ରଥମ ଦିନରେ ୨୦୧୭-୨୦୧୯ ବର୍ଷର ପ୍ରତ୍ୟେକଟି ବିଭାଗରେ ଉତ୍କର୍ଷତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ ସହ ପିଏଚଡି ଏବଂ ଡି.ଲିଟ୍ ଉପାଧି ପ୍ରଦାନ କରାଯାଇଛି । ଏହି ଅବସରରେ ଚାନ୍ଦବାଲି ବିଧାୟକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ.ବ୍ୟୋମକେଶ ରାୟଙ୍କୁ ରାଜନୀତି ବିଜ୍ଞାନ ବିଷୟରେ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ କରାଯାଇଛି ।

Advertisment

ଏହି ଉପାଧିରେ ବିଭୂଷିତ ହେଲା ପରେ ସେ କହିଛନ୍ତି,  ସମଗ୍ର ଭାରତ ବର୍ଷରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ରତା ବଜାୟ ରଖିଥିବା ଅନନ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ ହୋଇ ନିଜକୁ ଗୌରବାନିତ ଅନୁଭବ କରୁଛି । ଗୁରୁବାର ଆରମ୍ଭ ହୋଇଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ନାଇଜର ଅଧକ୍ଷ ପ୍ରଫେସର ସୁଧାକର ପଣ୍ଡା , ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ ମଲ୍ଲିକ, ରେଜିଷ୍ଟାର ଅଭୟ କୁମାର ନାୟକ, ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି ଅତିଥି ଭାବେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ବିଧାୟକ ଡ. ବ୍ୟୋମକେଶ ରାୟ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଜି ଏବଂ ଏମ୍ ଫିଲ୍ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି ।