ଛନକା ଭରୁଛି ଚାନ୍ଦବାଲି । ବିଜେଡିରେ ବିଦ୍ରୋହ, ଫାଇଦା ନେବାକୁ ବିରୋଧୀଙ୍କ ବ୍ଲୁ-ପ୍ରିଣ୍ଟ ।

Advertisment
ଛନକା ଭରୁଛି ଚାନ୍ଦବାଲି । ବିଜେଡିରେ ବିଦ୍ରୋହ, ଫାଇଦା ନେବାକୁ ବିରୋଧୀଙ୍କ ବ୍ଲୁ-ପ୍ରିଣ୍ଟ ।

କନକ ବ୍ୟୁରୋ: ସାରା ରାଜ୍ୟରେ ବହୁଛି ନିର୍ବାଚନୀ ହାୱା । ବିଭିନ୍ନ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ଶାସକ ବିରୋଧୀ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ରାଜନୀତି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି । ଏହି ମର୍ମରେ ପୂର୍ବରୁ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନମଣ୍ଡଳୀରୁ ୨୦୦୯ରେ ସଂରକ୍ଷଣ ଉଠିଛି । ଏହାପରଠାରୁ ହୋଇଥିବା ୨ଥର ନିର୍ବାଚନରେ ଶାସକ ବିଜେଡି କବଜା କରିଛି । ୨୦୦୯ରେ ବିଜୟ ନାୟକ ଓ ୨୦୧୪ରେ ବ୍ୟୋମକେଶ ରାୟ ବିଜେଡି ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଆଗାମୀ ସାଧାରଣ ନିର୍ବାଚନ ପାଇଁ ପୁଣି ଥରେ ବ୍ୟୋମକେଶ ଟିକଟ ପାଇଁ ଆଶା ବାନ୍ଧିଛନ୍ତି। ତେବେ ଇତିମଧ୍ୟରେ ତାଙ୍କ ବିରୋଧୀ ବିଦ୍ରୋହ ଆରମ୍ଭ କଲେଣି ବୋଲି ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳୁଛି । ଏପରିକି ଗୋଟିଏ ଦୃଶ୍ୟ ଦେଖିବାକୁ ମିଳୁଛି ଯେ, ଏଠି ବିଜେଡି ବିଜେଡିର ଶତ୍ରୁ ସାଜିଛି । ବ୍ୟୋମକେଶଙ୍କୁ ବିଜେଡି ନେତା ପ୍ରତାପ ଧଳ ବିରୋଧ କରି ଆସୁଛନ୍ତି । ପ୍ରତାପ ଓ ବ୍ୟୋମକେଶଙ୍କର ଏଇ ବିବାଦ ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ ବେଳେ ଦେଖିବାକୁ ମିଳିଥିଲା । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟ, ଗାଡି ଭଙ୍ଗାରୁଜା ହୋଇଥିଲା। ଯାହାକି ଆଗାମୀ ନିର୍ବାଚନ ପାଇଁ ଶାସକ ବିଜେଡିକୁ ବ୍ୟାକଫୁଟ୍ କୁ ନେଇଯାଇପାରେ ବୋଲି ଶୁଣିବାକୁ ମିଳୁଛି ।

ଅନ୍ୟପଟେ ଏଥର ଚାନ୍ଦବାଲି ପାଇଁ ବିଜେଡି ଦଳରୁ ବ୍ୟୋମକେଶ ରାୟଙ୍କ ସମେତ ପ୍ରତାପ ଧଳ, ପୂର୍ବତନ ବିଧାୟକ ବିଜୟ ନାୟକ, ସମାଜସେବୀ ସଂଗ୍ରାମ ରାଉତ, ବିଜେଡି ନେତା ଅଜୟ ନାୟକ, ତିହିଡି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତ ଲତା ନାୟକ, ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟଙ୍କ ଭଳି ପ୍ରମୁଖ ଆଶାୟୀ ଅଛନ୍ତି। ଏବେ ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି କାହାକୁ ବାଛିବ ଏବଂ କିଏ ବିଜେଡିକୁ ପୁଣି ବିଜୟ ତିଳକ ପିନ୍ଧାଇବ ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେ ଏହି ନିର୍ବାଚନମଣ୍ଡଳୀରେ ଶାସକ ବିଜେଡିକୁ କଡ଼ା ଟକ୍କର ଦେଉଥିବା କଂଗ୍ରେସ ଏଥର ବିଜୟ ଦ୍ୱାର ଦେଖିବାକୁ ବଳ କଷୁଛି । ତେଣୁ କଂଗ୍ରେସରୁ ଅନେକ ନେତା ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି । ପୂର୍ବଥର କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିବା ଅମୀୟ ମହାପାତ୍ର ଏଥର ମଧ୍ୟ ଟିକେଟ୍ ପାଇବାକୁ ଜି-ଜାନ୍ ଲଗାଇ ଦେଇଛନ୍ତି । ଅମୀୟଙ୍କ ବାଦ୍ କଂଗ୍ରେସ ନେତା ଜ୍ୟୋତିପ୍ରକାଶ ମହାନ୍ତି, ଦିଗମ୍ବର ଦାସ, ଅଭିଷେକ ରାଉତ, ସତ୍ୟାନନ୍ଦ ରାଉତ ପ୍ରମୁଖ ଆଶାୟୀ ରହିଛନ୍ତି ।

ସେପଟେ ବିଜେପିର ଏକମାତ୍ର ପ୍ରାର୍ଥୀ ମନମୋହନ ସାମଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେଣୁ ବିଜେପିର ସ୍ଥିତି ଏପରିକି ସେ ଆଗାମୀ ନିର୍ବାଚନରେ ବାଜି ମାରି ନେଇ ପାରେ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି । କାରଣ ବିଜେଡିରେ ବିଦ୍ରୋହ ବିରୋଧୀଙ୍କୁ ଫାଇଦା ଦେଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେଣୁ ଆଗମୀ ନିର୍ବାଚନରେ ଏଠାରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ନେଇ ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ ହୋଇଗଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe