କନକ ବ୍ୟୁରୋ: ପୂରା କାହାଣୀ ଯେତିକି ଚାଞ୍ଚଲ୍ୟକର, ସେତିକି ହୃଦୟ ବିଦାରକ । ଟଙ୍କା ଲୋଭରେ ଜଣେ ୧୪ ବର୍ଷ ବୟସର ନିରୀହ ଛାତ୍ରଙ୍କୁ ନିର୍ମମ ହତ୍ୟା କରିଛି ପଡ଼ୋଶୀ । କେବଳ ସେତିକି ନୁହେଁ, ହତ୍ୟା କରିବା ପରେ ମୃତଦେହକୁ ଜାଳି ଦେଇଛି ନରରାକ୍ଷସ ।

Advertisment

ସମର୍ଥ ଅଗ୍ରୱାଲ, ବୟସ: ୧୪ ବର୍ଷ, ଘର: ସରବାହାଲ, ଝାରସୁଗୁଡ଼ା । ଭଲ କ୍ରିକେଟ୍ ଖେଳୁଥିଲେ ସମର୍ଥ । ଅଣ୍ଡର ସିକ୍ସଟିନରେ ଝାରସୁଗୁଡ଼ା ଟିମରୁ ଖେଳୁଥିଲେ । ପ୍ରତିଦିନ ପ୍ରାକ୍ଟିସ ପାଇଁ ଯାଉଥିଲେ । କିନ୍ତୁ ୨୭ ତାରିଖ ଦିନ ସବୁ କିଛି ବଦଳି ଯାଇଥିଲା । ତାଙ୍କ ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଥିଲା ସଇତାନ ।

୨୭ ତାରିଖ, ଅପରାହ୍ଣ ୪ଟା । ସବୁ ଦିନ ଭଳି ଖେଳିବା ପାଇଁ ଇଲେକ୍ଟ୍ରିକ୍ ସ୍କୁଟି ଧରି ଘରୁ ବାହାରିଥିଲେ ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥ । କିନ୍ତୁ ସେ ଜାଣିନଥିଲେ, ତାଙ୍କ ବାଟରେ ଷଡ଼ଯନ୍ତ୍ରର ଜାଲ ବିଛାଯାଇଛି । ଖେଳିବାକୁ ସିନା ଯାଇଥିଲେ, ଆଉ ଘରକୁ ଫେରି ପାରିନଥିଲେ ସମର୍ଥ । ଲିଫ୍ଟ ମାଗିବା ବାହାନାରେ ସମର୍ଥଙ୍କୁ ଅପହରଣ କରି ନେଇଥିଲା ପୂର୍ବରୁ ତାଙ୍କ ପଡ଼ୋଶୀ ରହିଥିବା ଅମିତ ଶର୍ମା ।

ସମର୍ଥ ଘରକୁ ନଫେରିବାରୁ ତାଙ୍କୁ ଖୋଜାଖୋଜି କଲେ ପରିବାର ଲୋକ । ସେହି ୨୭ ତାରିଖ ରାତିରେ ବାପା ସୁନିତ ଅଗ୍ରୱାଲଙ୍କ ନିକଟକୁ ସମର୍ଥଙ୍କ ମୋବାଇଲକୁ ଆସିଲା ଫୋନ କଲ୍ । କିନ୍ତୁ ସମର୍ଥ ଫୋନ କରିନଥିଲେ, ଫୋନ କରିଥିଲା ଅପହର୍ତ୍ତା । ୫୦ ଲକ୍ଷ ଟଙ୍କା ଦାବି କରିଥିଲା, ପୁଲିସକୁ ଜଣାଇଲେ ସମର୍ଥଙ୍କୁ ମାରିଦେବାକୁ ଦେଇଥିଲା ଧମକ । ସେତେବେଳକୁ ଥାନାରେ ସମର୍ଥ ନିଖୋଜ ନେଇ ଏଫଆଇଆର୍ ଦେଇସାରିଥିଲେ ପରିବାର ଲୋକ ।

ସନ୍ଦେହ କରାଯାଉଛି, ସେହି ୨୭ ରାତିରେ କିମ୍ବା ୨୮ ତାରିଖ ସକାଳେ ସମର୍ଥଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଅମିତ ଶର୍ମା ଓ ତା’ର ସହଯୋଗୀ । ପ୍ରମାଣ ନଷ୍ଟ ପାଇଁ ବରଗଡ଼ ଜିଲ୍ଲା ଭେଡେନ୍ ଥାନା ଝାଇଁଜୋର ନଦୀ ନିକଟକୁ ନେଇ ମୃତଦେହକୁ ଜାଳି ଦେଇଥିଲେ ଅଭିଯୁକ୍ତ । ଧରାପଡ଼ିବା ଭୟରେ ଦରପୋଡ଼ା ଅବସ୍ଥାରେ ମୃତଦେହକୁ ଛାଡ଼ି ନୀଳ ରଙ୍ଗର ଏକ କାରରେ ଫେରାର ହୋଇଯାଇଥିଲେ ଅପରାଧୀ । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ସମର୍ଥଙ୍କ ଅଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିଥିଲା ପୁଲିସ ।

ସୁନିତ ଅଗ୍ରୱାଲଙ୍କ ପରିବାର ସହ ଭଲ ଭାବେ ପରିଚିତ ଥିଲେ ଅମିତ ଶର୍ମା । ଅମିତ ଶର୍ମା ଓ ତା’ ସହଯୋଗୀ ଦୀନେଶ ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ପୁଲିସ । ଅପହରଣ ଓ ହତ୍ୟା ପଛର କାରଣ ଖୋଜିବା ସହ ଅନ୍ୟ କେଉଁମାନେ ଏହି ହତ୍ୟାକାଣ୍ଡ ସହ ସମ୍ପୃକ୍ତ ସେମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି । ଏପଟେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ପରିବାର । ପୂରା ଘଟଣା ଝାରସୁଗୁଡ଼ା ସହର ସମେତ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।