ଆସୁଛି ସିରିଜ ଘୂର୍ଣ୍ଣିବଳୟ ! ଆଗାମୀ ୧୦ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ।

409

କନକ ବ୍ୟୁରୋ : ଲଘୁଚାପ ଲଗାଣ ବର୍ଷା, ଓଡିଶାର ଚାଷବାସ ଉଜାଡି ଦେଇଛି । ଏବେ ବି ଅନେକ ଅଞ୍ଚଳର ଚାଷ ଜମି ପାଣି ଘେରରେ ରହିଛି । ଏଇ ନିକଟରେ ଏକ ବଡ ବର୍ଷାକୁ ସାମ୍ନା କରିଥିବା ଓଡିଶା ଆଗକୁ ପୁଣି ମଧ୍ୟମରୁ ପ୍ରବଳ ବର୍ଷାରେ ଭିଜିପାରେ । ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ଦକ୍ଷିଣ ଚୀନ ସାଗରରୁ ବଙ୍ଗୋପସାଗରକୁ ଆସୁଛି ସିରିଜ ବା ଲଗାତାର ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୧୦ ଦିନ ଯାଏଁ ବର୍ଷା ହେବ ।

ଲଘୁଚାପ ବର୍ଷାରେ ଘାଇଲା ହୋଇଯାଇଥିବା ଓଡିଶା ପୁଣି ଥରେ ବର୍ଷାରେ ଭିଜିବ । ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗର ମୁଖ୍ୟ ଶରତ ସାହୁ, ପୂର୍ବାନୁମାନ କରି କହିଛନ୍ତି, ବଙ୍ଗୋପସାଗରରେ ସିରିଜ ବା ଲଗାତାର ଘୂର୍ଣ୍ଣିବଳୟ ଦେଖିବାକୁ ମିଳିବ ।

ଆସନ୍ତା ୧୦ ଦିନ ଭିତରେ ଓଡିଶାରେ ପୁଣି ମଧ୍ୟମରୁ ପ୍ରବଳ ବର୍ଷା ହେବାକୁ ଯାଉଛି । ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗ କହିଛି, ଦକ୍ଷିଣ ଚୀନ ସାଗରରୁ ସିରିଜ ଘୂର୍ଣ୍ଣିବଳୟ ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡକୁ ଗତି କରୁଛି ।

୧- ଦକ୍ଷିଣ ଚୀନ ସାଗରରୁ ବଙ୍ଗୋପସାଗରକୁ ଆସୁଥିବା ଏକ ଘୂର୍ଣ୍ଣିବଳୟ ବର୍ତମାନ ଉତ୍ତର ପଶ୍ଚିମ ଦିଗରେ ରହିଛି । ଏହାର ପ୍ରଭାବରେ ରବିବାର ଠାରୁ ସେପ୍ଟେମ୍ବର ୨୩ ଯାଏଁ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

୨- ସେପ୍ଟେମ୍ବର ୨୦, ୨୧ ଓ ୨୨ରେ ଭଦ୍ରକ, କେନ୍ଦ୍ରାପଡା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଓ ସମ୍ବଲପୁର ଅଞ୍ଚଳରେ ବର୍ଷା ହେବ ।

୩- ଦକ୍ଷିଣ ଚୀନ ସାଗରରୁ ଆସୁଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସେପ୍ଟେମ୍ବର ୨୫ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହା ୨୬ ତାରିଖରେ ଅବପାତର ରୂପ ନେବ ।

୪- ୨୬ ଓ ୨୭ ତାରିଖରେ ଏହାର ପ୍ରଭାବ ଉପକୂଳ, ଉତ୍ତର ଓଡିଶା ଓ ନିକଟବର୍ତ୍ତୀ ଜିଲ୍ଲା ଗୁଡିକରେ ଦେଖିବାକୁ ମିଳିବ ।

୫- ସେପ୍ଟେମ୍ବର ୨୬ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସେପ୍ଟେମ୍ବର ୨୮ ତାରିଖରେ ଏହା ଲଘୁଚାପର ରୂପ ନେବ ।

୬- ଏହାର ପ୍ରଭାବରେ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ଯାଏଁ ଉପକୂଳ ଅଂଚଳରେ ପ୍ରବଳ ବର୍ଷା ହେବ । ଏହା ଅବପାତର ରୂପ ନେଇ ବାଲେଶ୍ୱର ଦେଇ ଗତି କରିବ । ଏହାର ପ୍ରଭାବରେ ବନ୍ୟାର ମଧ୍ୟ ଆଶଙ୍କା ରହିଛି ।