କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ ଦଳ... ସମୟ ଥିଲା ଦିନେ ଏହି ଟିମକୁ ସାମ୍ନା କରିବାକୁ ବିଶ୍ୱର ବଡ ବଡ ଦଳ ଭୟ କରୁଥିଲେ । ୧୯୮୩ ମସିହା ପୂର୍ବରୁ ୨୦ ବର୍ଷ ଧରି ବିଶ୍ୱ କ୍ରିକେଟରେ ରାଜ୍ କରୁଥିଲା ୱେଷ୍ଟଇଣ୍ଡିଜ । କ୍ରିକେଟ ବିଶ୍ୱକପରେ ଲଗାତାର ପ୍ରଥମ ଓ ଦ୍ୱିତୀୟ ଥର ଚାମ୍ପିୟନ ହୋଇ ସାରା କ୍ରିକେଟ ଜଗତ ପାଇଁ ଇତିହାସ ସୃଷ୍ଟି କରିଦେଇଥିଲା ଏହି ଦଳ । ହେଲେ ଆଜି ଚାମ୍ପିୟନ ୱେଷ୍ଟଇଣ୍ଡିଜ ଦଳକୁ ବଡ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି । ୨୦୨୩ ଦିନିକିଆ ବିଶ୍ୱକପ ପାଇଁ ଦଳ ଯୋଗ୍ୟତା ଅର୍ଜନ କରିପାରିନାହିଁ । ଦୁର୍ବଳ ଦଳମାନଙ୍କ ସହ ଖେଳି ଦଳ ପରାଜୟ ହେବା ସହ ବିଶ୍ୱକପରୁ ବାଦ ପଡିଛି ।

Advertisment

ଭିଭାନ ରିଚାର୍ଡସ, ମାଲକମ ମାର୍ଶଲ, କ୍ଲିଭ ଲୋୟଡ, ବ୍ରେନ ଲାରା, କ୍ରିସ ଗେଲ, ଡ୍ୱେନ ବ୍ରାଭୋଙ୍କ ଭଳି ଖେଳାଳିଙ୍କୁ ଜନ୍ମ ଦେଇଛି ୱେଷ୍ଟଇଣ୍ଡିଜ ଦଳ । ଦିନ ଥିଲା ଏହି ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଲାଇନ ଲେଙ୍ଗଥ୍ ପାଉନଥିଲେ ବୋଲର । ଦିନିକିଆ ହେଉ କି ଟି-୨୦ ବୋଲରଙ୍କୁ ଧୁଲାଇ କରିବାରେ ମାହିର ଥିଲେ ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ । ଏହି ଖେଳାଳିମାନଙ୍କ ମଧ୍ୟରେ ସବୁଠାରୁ ଉଦ୍ଧ୍ୱର୍ରେ ରହିଛନ୍ତି କ୍ରିସ ଗେଲ । ଯିଏ ବଡ ବଡ ଛକା ମାରିବାରେ ମାହିର । ବିଶ୍ୱର ବଡ ବଡ ବୋଲର ତାଙ୍କ ଆଗରେ ଲୟ ହରାନ୍ତି । ହେଲେ ଏବେ ୱେଷ୍ଟଇଣ୍ଡିଜ ଦଳ ନିଜ ଲୟ ହରାଇଦେଇଛି ।

ଅଷ୍ଟ୍ରେଲିଆ ପରେ ୱେଷ୍ଟଇଣ୍ଡିଜ ହିଁ ଏକମାତ୍ର ସଫଳତମ ଦଳ, ଯିଏ ଦୁଇ ଦୁଇ ଥର ଦିନିକିଆ ବିଶ୍ୱକପ ଦୁଇ ଦୁଇ ଥର ଟି-୨୦ ଟାଇଲଟ ହାସଲ କରିବାରେ ସଫଳ ହୋଇପାରିଛି । ଦିନିକିଆ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ବିଶ୍ୱ କ୍ରିକେଟରେ ୱେଷ୍ଟଇଣ୍ଡିଜର ଦବଦବା ରହିଥିଲା । ଏହାପରେ ଲଗାତାର ଦୁଇ ଦୁଇ ଥର ଚାମ୍ପିୟନ ହୋଇ ଏହା ପ୍ରମାଣ ମଧ୍ୟ କରିଥିଲା କାରବିଆନ ଦଳ । କେବଳ ସେତିକି ନୁହେଁ ୧୯୮୩ରେ ମଧ୍ୟ ୱେଷ୍ଟଇଣ୍ଡିଜ ଭାରତ ସହ ବିଶ୍ୱକପ ଫାଇନାଲ ଖେଳିଥିଲା । ଆଉ ସେହି ବର୍ଷ ଭାରତଠାରୁ ପରାସ୍ତ ହୋଇଥିଲା ।

ଟି-୨୦ରେ ମଧ୍ୟ ଦଳ ୨୦୧୨, ୨୦୧୬ରେ ଟାଇଟଲ ହାସଲ କରିଥିଲା । ଆଉ ସେହି ଦଳରେ କ୍ରିସ ଗେଲ, ଡ୍ୱେନ ବ୍ରାଭୋ, କିରନ ପୋଲାର୍ଡ, ଡାରେନ ସାମି ଓ ଆନେ୍ଧ୍ର ରସେଲଙ୍କ ଭଳି ଦୁର୍ଦ୍ଦଶ ଖେଳାଳି ରହିଥିଲେ । ଯେଉଁମାନେ ବଡ ବଡ ଛକା ମାରି ଦଳକୁ ବିଜୟୀ କରାଇବାର ଦକ୍ଷତା ରଖୁଥିଲେ । ହେଲେ ଏବେ ଦଳ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ । ବିଶ୍ୱକପ ପାଇଁ ଚାମ୍ପିୟନ ଦଳକୁ ଶେଷରେ କ୍ୱାଲିଫାଇ ମ୍ୟାଚ ଖେଳିବାକୁ ପଡିଥିଲା । ହେଲେ ଦଳ ଏଥିରେ ଜିମ୍ବାୱେ, ନେଦରଲାଣ୍ଡ ଓ ସ୍କଟଲାଣ୍ଡଠାରୁ ପରାଜିତ ହୋଇ ଶେଷରେ ବିଶ୍ୱକପରୁ ବାଦ ପଡିଛି । ୱେଷ୍ଟଇଣ୍ଡିଜ ଭଳି ଦଳ ଯିଏ ଅତିତରେ ଶକ୍ତିଶାଳୀ ଟିମ ରହିଥିଲା, ଦୁଇ ଦୁଇ ଥର ବିଶ୍ୱକପ ଜିତିଥିଲା, ସେହି ଟିମକୁ ଇତିହାସରେ ପ୍ରଥମଥର ପାଇଁ ଏଭଳି ସ୍ଥିତି ସାମ୍ନା କରିବାକୁ ପଡିଛି ।