ସରିଲା ଫାଇନାଲ, ଜିତିଲା ମୁମ୍ବାଇ । ଚାମ୍ପିୟନ ଓ ରନର୍ସଅପ ଟିମ ଉପରେ ଟଙ୍କାର ବର୍ଷା । ଜାଣନ୍ତୁ କାହାକୁ ମିଳିଲା କେତେ ଟଙ୍କା, କିଏ ଜିତିଲା କେଉଁ ଆୱାର୍ଡ ।

3,702

ଆଇପିଏଲ ଫାଇନାଲ ଫାଇଟରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ । ଶେଷ ଓଭରର ଶେଷ ବଲରେ ୧ ରନର ରୋମାଞ୍ଚକର ବିଜୟ ହାସଲ କରି ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି ରୋହିତଙ୍କ ଟିମ୍ । ଆଉ ଏହାସହ ଆଇପିଏଲ ଇତିହାସର ସର୍ବାଧିକ ଥର ଟ୍ରଫି ବିଜେତା ସାଜିଛି ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ଆଇପିଏଲରେ ଲିଗ୍ ପର୍ଯ୍ୟାୟରୁ ଆରମ୍ଭ କରି ଫାଇନାଲ ପର୍ଯ୍ୟନ୍ତ ଚେନ୍ନାଇ ସୁପରକିଙ୍ଗସକୁ ୪ଟି ମ୍ୟାଚରେ ମାତ୍ ଦେଇ ଏହି ଆଇପିଏଲ ୨୦୧୯ର ବିଜେତା ସାଜିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଆଇପିଏଲ ୨୦୧୯ର ବିଜେତା ହେବା ପରେ ମୁମ୍ବାଇ ଇଣ୍ଟିଆନ୍ସ ଉପରେ ଟଙ୍କାର ବର୍ଷା ହୋଇଛି । ଚାମ୍ପିୟନ ମୁମ୍ବାଇକୁ ପୁରସ୍କାର ରାଶି ସ୍ୱରୂପ ୨୦ କୋଟି ଟଙ୍କା ମିଳିଥିବା ବେଳେ ରନର୍ସଅପ ଚେନ୍ନାଇକୁ ୧୨.୫ କୋଟି ଟଙ୍କା ପୁରସ୍କାର ରାଶି ମିଳିଛି । ସେହିଭଳି ପ୍ଲେ ଅଫ୍କୁ ଯାଇଥିବା ଅନ୍ୟ ଦୁଇ ଟିମ ଦିଲ୍ଲୀ କ୍ୟାପିଟାଲ ଓ ସନରାଇଜର୍ସ ହାଇଦ୍ରାବାଦକୁ ୮.୭୫ କୋଟି ଟଙ୍କା ଲେଖାଏଁ ମିଳିଛି ।

ଫାଇନାଲରେ ଦମଦାର ପ୍ରଦର୍ଶନ କରି ମୁମ୍ବାଇକୁ ବଡ ବିଜୟ ଦେଇଥିବା ଯଶପ୍ରୀତ ବୁମରାହଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି । ସନରାଇର୍ଜସ ହାଇଦ୍ରାବାଦର ଡେଭିଡ ୱାର୍ଣ୍ଣରଙ୍କୁ ଅରେଞ୍ଜ କ୍ୟାପ୍ ମିଳିଥିବା ବେଳେ ଚେନ୍ନାଇର ଇମ୍ରାନ ତାହିର ପର୍ପଲ କ୍ୟାପ୍ ହାତେଇଛନ୍ତି । ମୋଷ୍ଟ ଭାଲ୍ୟୁଏବେଲ ପ୍ଲେୟାରର ତାଜ୍ ଆନ୍ଦ୍ରେ ରସେଲଙ୍କୁ ଦିଆଯାଇଥିବା ବେଳେ ରାହୁଲ ଚହରଙ୍କୁ ଚଳିତ ଆଇପିଏଲ ସିଜିନର ଗେମଚେଞ୍ଜର ଆୱାର୍ଡ ମିଳିଛି ।

ସେହିଭଳି ଷ୍ଟାଇଲିସ ପ୍ଲେୟାରର ଆୱାର୍ଡ କେ ଏଲ ରାହୁଲ ହାତେଇଥିବା ବେଳେ ଚଳିତ ସିଜିନର ସୁପର ଷ୍ଟ୍ରାଇକର ଆୱାର୍ଡ ବାଜି ମାରି ନେଇଛନ୍ତି କୋଲକାତା ନାଇଟ ରାଇଡର୍ସର ଆନ୍ଦ୍ରେ ରସେଲ । ଦ୍ରୁତ ଅର୍ଦ୍ଧଶତକ ଟାଇଟଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖାତାକୁ ଯାଇଥିବା ବେଳେ ପରଫେକ୍ଟ କ୍ୟାଚ୍ ଅଫ୍ ଦ ସିଜିନର ଆୱାର୍ଡ କିରଣ ପୋଲାର୍ଡଙ୍କ ନାଁରେ ରହିଛି । ଇମରଜିଙ୍ଗ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟର ପୁରସ୍କାର ଶୁଭମାନ୍ ଗିଲ ହାତେଇଥିବା ବେଳେ ଫେୟାର ପ୍ଲେ ଆୱାର୍ଡର ହକଦାର ହୋଇଛି ସନରାଇଜର୍ସ ହାଇଦ୍ରାବାଦ ।