କନକ ବ୍ୟୁରୋ : ବିଶ୍ୱ କ୍ରିକେଟକୁ ମିଳିଲା ନୂଆ ଟି-୨୦ ଚାମ୍ପିୟନ । ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଟି-୨୦ ବିଶ୍ୱକପରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ । ୮ ୱିକେଟରେ କିୱି ଦଳକୁ ମାତ୍ ଦେଇ ଟି-୨୦ ଟାଇଟଲ ହାତେଇଛି କଙ୍ଗାରୁ ଦଳ । ୨୦୧୫ ପରେ ଅଷ୍ଟ୍ରେଲିଆ ପୁଣିଥରେ କୌଣସି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି । ୬ ବର୍ଷ ପୂର୍ବେ ଦିନିକିଆ ବିଶ୍ୱକପ ଜିତିଥିଲା ଅଷ୍ଟ୍ରେଲିଆ । ଆଉ ଏହାପରେ ଅଷ୍ଟ୍ରେଲିଆ ଖାତାକୁ କୌଣସି ଆଇସିସି ଟ୍ରଫି ଆସିନଥିଲା । ତେବେ ଚଳିତଥର ଦମଦାର ପ୍ରଦର୍ଶନ ସହ ଚାମ୍ପିୟନ ହେବାର ସୌଭାଗ୍ୟ ପାଇଛି ଅଷ୍ଟ୍ରେଲିଆ । ଆଉ ଏହି ବିଜୟ ପରେ ଚାମ୍ପିୟନ ଅଷ୍ଟ୍ରେଲିଆ ଉପରେ କୋଟି କୋଟି ଟଙ୍କା ବର୍ଷା ହୋଇଛି ।
ଟି-୨୦ ବିଶ୍ୱକପରେ ଚାମ୍ପିୟନ ଅଷ୍ଟ୍ରେଲିଆକୁ ବିଶ୍ୱକପ ଟାଇଟଲ ସହ ପୁରସ୍କାର ରାଶି ବାବଦକୁ ପାଖାପାଖି ୧୨ କୋଟି ଟଙ୍କା ମିଳିଛି । କେବଳ ଅଷ୍ଟ୍ରେଲିଆ ଟିମ ଉପରେ ଟଙ୍କା ବର୍ଷା ହୋଇନି ବରଂ ରନର୍ସ ଅପ ହୋଇଥିବା ନ୍ୟୁଜିଲାଣ୍ଡ ଟିମକୁ ମଧ୍ୟ କୋଟି କୋଟି ଟଙ୍କା ମିଳିଛି । ରନର୍ସ ଅପ୍ ଟିମ୍ ଭାବେ ନ୍ୟୁଜିଲାଣ୍ଡକୁ ପାଖାପାଖି ୬ କୋଟି ଟଙ୍କା ମିଳିଛି । ସେହିଭଳି ସେମିଫାଇନା ପର୍ଯ୍ୟାୟରୁ ବିଦାୟ ନେଇଥିବା ଇଂଲଣ୍ଡ ଓ ପାକିସ୍ତାନକୁ ପୁରସ୍କାର ରାଶି ବାବଦକୁ ୩ କୋଟି ଟଙ୍କା ଲେଖାଏଁ ମିଳିଛି ।
ଚଳିତ ବିଶ୍ୱକପରେ ଭାରତର ପ୍ରଦର୍ଶନ ସେତେଟା ଖାସ୍ ନଥିଲା । ଦଳ ସୁପର-୧୨ ପର୍ଯ୍ୟାୟରେ ମାତ୍ର ୩ଟି ମ୍ୟାଚ୍ ଜିତି ସେମିଫାଇନାଲ ଦୌଡରୁ ବାଦ ପଡିଥିଲା । ଏହାସତ୍ତେ୍ୱ ମଧ୍ୟ ପୁରସ୍କାର ରାଶି ସ୍ୱରୂପ ଟିମ୍ ଇଣ୍ଡିଆକୁ ଆଇସିସି ପାଖାପାଖି ୫୨ ଲକ୍ଷ ଟଙ୍କା ଦେଇଛି ।