ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପାଇ ସୋରେନ୍ । ରାଜ୍ୟପାଳଙ୍କୁ ଭେଟିବା ପରେ ମିଳିଲା ସରକାର ଗଠନ ପାଇଁ ନିମନ୍ତ୍ରଣ ।

101

କନକ ବୁରୋ : ଝାଡ଼ଖଣ୍ଡରେ ଶେଷ ହୋଇଛି ରାଜନୈତିକ ସସପେନ୍ସ । ଚମ୍ପାଇ ସୋରେନ୍ ହେବେ ଝାଡ଼ଖଣ୍ଡର ପରବର୍ତୀ ମୁଖ୍ୟମନ୍ତ୍ରୀ । ଆଉ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଧାୟକ ଦଳର ନେତା ହେବା ପରେ ଗୁରୁବାର ରାତିରେ ରାଜ୍ୟପାଳ ସିପି ରାଧାକୃଷ୍ଣଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଉ କେତେ ଜଣ ଶପଥ ନେବେ, ସେ ନେଇ କୌଣସି ସୂଚନା ମିଳିନାହିଁ । ବଡ଼ କଥା ହେଉଛି, ଚମ୍ପାଇ ସୋରେନଙ୍କୁ ୧୦ ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବାକୁ ପଡ଼ିବ । ଗତକାଲି ସାରାଦିନ ରାଜନୈତିକ ଡ୍ରାମା ଚାଲିଥିଲା । ସନ୍ଧ୍ୟା ସାଢ଼େ ୫ଟାରେ ୫ ବିଧାୟକଙ୍କୁୁ ଡକାଇଥିଲେ ରାଜ୍ୟପାଳ । ଏଥିରେ ଚମ୍ପାଇ ସୋରେନ୍ ମଧ୍ୟ ଥିଲେ । ଲାଗୁଥିଲା ରାଜ୍ୟପାଳ ଏମାନଙ୍କୁ ଶପଥ ପାଇଁ ନିମନ୍ତ୍ରଣ ଦେବେ । କିନ୍ତୁ ତାହା ହୋଇପାରିନଥିଲା । ଏହାପରେ ସମସ୍ତ ଜେଏମ୍ଏମ୍ ଓ ମେଂଟ ବିଧାୟକଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଯେଉଁ ଦୁଇଟି ଚାଟର୍ଡ ବିମାନରେ ଜେଏମଏମ୍ ଓ ମହାମେଂଟର ବିଧାୟକ ରାଂଚିରୁ ହାଇଦ୍ରାବାଦ ପାଇଁ ଉଡ଼ାଣ ଭରିଥାନ୍ତେ, ତାହା ବାତିଲ ହୋଇଯାଇଥିଲା । ବିଧାୟକମାନେ ପାଖାପାଖି ଦୁଇ ଘଂଟା ଧରି ବିମାରେ ବସିଥିଲେ । କିନ୍ତୁ ବିମାନଟି ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରି ପାରିନଥିଲା । ଖରାପ ପାଗ ପାଇଁ ବିମାନ ଉଡ଼ାଣ ଭରିପାରିନଥିଲା । ତେବେ ହାଇଦ୍ରାବାଦ ଯିବା ବାତିଲ ହେବା ପରେ ରାତିରେ ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଭେଟିଥିଲେ ।

‘ଝାଡ଼ଖଣ୍ଡ ଟାଇଗର’ରୁ ମୁଖ୍ୟମନ୍ତ୍ରୀ
– ଚମ୍ପାଇ ସୋରେନଙ୍କ ରାଜନୈତିକ ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ
– ଜେଏମଏମ୍ ମୁଖ୍ୟ ଶିବୁ ସୋରେନଙ୍କ ଖୁବ୍ ବିଶ୍ୱସ୍ତ ଥିଲେ
– ୧୯୯୦ ଦଶକରେ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ସଂଗ୍ରାମ କରିଥିଲେ
– ସେଥିପାଇଁ ତାଙ୍କୁ ‘ଝାଡ଼ଖଣ୍ଡ ଟାଇଗର’ ବୋଲି କୁହାଯାଏ
– କମ୍ ବୟସରେ ବିବାହ କରିଥିବା ଚମ୍ପାଇଙ୍କର ୪ ପୁଅ ଓ ୩ ଝିଅ ଅଛନ୍ତି
– ୧୯୯୧ରେ ଷଢେଇକଳା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବେ ବିଧାୟକ ହୋଇଥିଲେ
– ୧୯୯୫ରେ ଜେଏମଏମ୍ ଟିକେଟ୍ରୁ ନିର୍ବାଚନ ଲଢ଼ି ବିଜେପି ପ୍ରାର୍ଥୀ ପଂଚୁ ଟୁଡୁଙ୍କୁ ହରାଇଥିଲେ
– ୨୦୦୦ ମସିହାରେ ବିଜେପି ପ୍ରାର୍ଥୀ ଅନନ୍ତ ରାମ ଟୁଡୁଙ୍କ ଠାରୁ ପରାସ୍ତ ହୋଇଥିଲେ
– ୨୦୦୫ରେ ବିଜେପି ପ୍ରାର୍ଥୀଙ୍କୁ ୮୦୦ ଖଣ୍ଡ ଭୋଟରେ ହରାଇଥିଲେ
– ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ
– ୨୦୧୦ରୁ ୨୦୧୩ ପର୍ୟ୍ୟନ୍ତ ଜେଏମଏମ୍-ବିଜେପି ମେଂଟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ