ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ । ଘୋଡା ବେପାର ଭୟରେ ଜେଏମଏମ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର

97

କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ହେମନ୍ତ ସୋରେନଙ୍କ ହାତରୁ ଯାଇଛି ମୁଖ୍ୟମନ୍ତ୍ରୀ ପଦ । ସେପଟେ ଘଡିସନ୍ଧି ମୁହୁର୍ତରେ ରାଜ୍ୟକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପାଇ ସୋରେନ । ରାଂଚିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ଚମ୍ପାଇଙ୍କୁ ଗୋପନୀୟତା ଓ ପଦର ଶପଥପାଠ କରାଇଛନ୍ତି । ଜମି ଦୁର୍ନୀତି ମାମଲାରେ ହେମନ୍ତ ଚାରିପଟୁ ଫସିବା ପରେ ଜେଏମଏମ ବିଧାୟକ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନଙ୍କ ନାଁ ମୁଖ୍ୟମନ୍ତ୍ରୀଭାବେ ପ୍ରସ୍ତାବ ଦେଇଥିଲେ । ବିଧାୟକ ଦଳନେତା ଭାବେ ନିର୍ବାଚିତ ଜେଏମଏମର ଏହି ଟାଣୁଆ ନେତା । ତେବେ ରାଜ୍ୟ ରାଜନୀତି ଯେଉଁ ସମସ୍ୟା ଦେଇ ଗତି କରୁଛି ତାକୁ ଚମ୍ପାଇ ସୋରେନ ସମ୍ଭାଳିବା ବୋଲି ଆଶା ରଖିଛି ଦଳ । ତେବେ ୧୦ଦିନ ମଧ୍ୟରେ ଚମ୍ପାଇଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ହେବ ।

ସେପଟେ ଗୁରୁବାର ରାତି ଜେଲରେ କାଟିବା ପରେ ଶୁକ୍ରବାର ହେମନ୍ତ ସୋରେନଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି ଇଡି । ୮ରୁ ୧୦ ଦିନ ରିମାଣ୍ଡ ପାଇଁ ଇଡି କୋର୍ଟରେ ପିଟିସନ ଦାଖଲ କରିଥିଲା । ସେପଟେ ଇଡି ଗିରଫଦାରୀ ବିରୋଧରେ ହେମନ୍ତ ସୋରେନଙ୍କୁ ମିଳିଛି ଝଟକା । ସୋରେନଙ୍କ ଆବେଦନ ଉପରେ ଶୁଣାଣୀ କରିବାକୁ ମନା କରି ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟ ଯିବାକୁ କହିଛନ୍ତି । ସେପଟେ ପୂରା ଘଟଣାକୁ ନେଇ ଜେଏମଏମ ଉପରେ ବର୍ଷିଛି ବିଜେପି ।

ଜମି, ଖଣି ଦୁର୍ନୀତି ମାମଲାରେ ଜାନୁଆରୀ ୩୧ରେ ହେମନ୍ତ ସୋରେନଙ୍କୁ ଇଡି ୭ଘଂଟାର ଜେରା ପରେ ଗିରଫ କରିଥିଲା । ପୂରା ଘଟଣା ପାଇଁ ବିଜେପି ସରକାରଙ୍କୁ ଦାୟୀ କରିଛି ଜେଏମଏମ । ନିର୍ବାଚନ ପୂର୍ବରୁ କେନ୍ଦ୍ର ହାତର କାଠ କଣ୍ଢେଇ ସାଜି ତଦନ୍ତକାରୀସଂସ୍ଥା ବିରୋଧୀଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛି ଜେଏମଏମ । ଏବେ ଦେଖିବାକୁ ବାକି ରହିଲା ହେମନ୍ତ ସୋରେନଙ୍କ ଅନୁପସ୍ଥିତିରେ କିଭଳି ଝାଡ଼ଖଣ୍ଡ ରାଜନୈତିକ ଝଡ଼କୁ କାବୁ କରୁଛନ୍ତି ଚମ୍ପାଇ ସୋରେନ ।