ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟରେ ଚଂପାଇ ସୋରେନ୍ ପାସ: ସମର୍ଥନରେ ପଡିଲା ୪୭ ଭୋଟ୍

171

କନକ ବ୍ୟୁରୋ: ଆସ୍ଥା ଭୋଟ୍ ଜିତିଲେ ଚମ୍ପାଇ ସରକାର । ଆଜି ଝାଡଖଣ୍ଡ ବିଧାନସଭାରେ ଫ୍ଲୋର ଟେଷ୍ଟରେ ବାଜି ମାରିଲେ ଚମ୍ପାଇ ସୋରେନ୍ । ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି ଚମ୍ପାଇ । ଏହି ବଜୟ ସହ ଝାଡଖଣ୍ଡରେ ଆରମ୍ଭ ହୋଇଛି ଚମ୍ପାଇ ସରକାର ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ବିଧାନସଭାରେ ଫ୍ଲୋର ଟେଷ୍ଟ ଦେଇଥିଲେ ଚମ୍ପାଇ ସୋରେନ୍ । ଆଉ ଏହି ଫ୍ଲୋରଟେଷ୍ଟରେ ବହୁମତ ହାସଲ କରିଛନ୍ତି ଚମ୍ପାଇ । ଝାଡଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି ଚଂପାଇ ସରକାର । ଆସ୍ଥା ଭୋଟ୍ରେ ଚମ୍ପାଇ ସୋରେନ୍ ସରକାର ସପକ୍ଷରେ ପଡ଼ିଛି ୪୭ଟି ଭୋଟ୍ । ଝାଡ଼ଖଣ୍ଡ ବିଧାନସଭାରେ ୮୧ ସଦସ୍ୟ ରହିଛନ୍ତି । ବହୁମତ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା । ଜେଏମ୍ଏମ୍-ଆରଜେଡି ଏବଂ କଂଗ୍ରେସ ପାଖରେ ୪୭ ବିଧାୟକ ଥିଲେ । ଏହି ସମସ୍ତ ବିଧାୟକ ଚମ୍ପାଇଙ୍କ ସମର୍ଥନରେ ଭୋଟ୍ ଦେଇଛନ୍ତି । ଏଥିମଧ୍ୟରୁ ୨୯ ବିଧାୟକ ଜେଏମଏମର, ୧୭ ଜଣ କଂଗ୍ରେସର ଏବଂ ଆରଜେଡିର ଜଣେ ବିଧାୟକ ରହିଛନ୍ତି । ଆସ୍ଥା ଭୋଟ୍ରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ କହିଛନ୍ତି, ତାଙ୍କ ସରକାରକୁ ଅସ୍ଥିର କରିବାକୁ ପ୍ରୟାସ କରାଯାଉଛି । ହେମନ୍ତ ଅଛି ମାନେ ହିମ୍ମତ ଅଛି ବା ସାହାସ ଅଛି ।

ଆସ୍ଥା ଭୋଟ୍ ପାଇଁ କୋର୍ଟଙ୍କ ଠାରୁ ଅନୁମତି ପାଇଁ ବିଧାନସଭାରେ ପହଁଚିଥିଲେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ବିଧାନସଭାରେ ପହଁଚିବା ପରେ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ହେମନ୍ତ । ଯୋଜନାବଦ୍ଧ ଭାବେ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି । ବିଧାନସଭାରେ ଆସ୍ଥା ଭୋଟ୍ ପୂର୍ବରୁ ହେମନ୍ତ କହିଛନ୍ତି, ୨୦୨୨ରୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରାଯାଉଛି । ଏହି ଗିରଫଦାରୀ ପାଇଁ ହୋଇଥିବା ଷଡଯନ୍ତ୍ରରେ ରାଜ ଭବନ ମଧ୍ୟ ସାମିଲ ଅଛି । ମୁଁ ଲୁହ ବୁହାଇବି ନାହିଁ, ଜୀବିତ ଲୋକର ଲୁହର କୌଣସି ମୂଲ୍ୟ ନାହିଁ । ମୁଁ ଆଦିବାସୀ ହୋଇଥିବାରୁ ମତେ ଟାର୍ଗେଟ କରାଯାଇଛି । ଜାନୁଆରୀ ୩୧ ଦେଶ ପାଇଁ କଳା ଅଧ୍ୟାୟ । ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଯଦି ଅଭିଯୋଗ ପ୍ରମାଣିତ ହୁଏ ତାହାଲେ କେବଳ ରାଜାନୀତି ନୁହେଁ ଝାଡ଼ଖଣ୍ଡ ଛାଡ଼ିଦେବି ।

ରାଂଚି ଜମି ଅନିୟମିତତା ମାମଲାରେ ହେମନ୍ତ ସୋରେନ୍ ଙ୍କୁ ଗତ ଜାନୁଆରୀ ୩୧ରେ ଗିରଫ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହା ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଚଂପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଆଉ ସୋମବାର ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ ।