କନକ ବ୍ୟୁରୋ: ଝାଡଖଣ୍ଡ ରାଜନୀତିରେ ହଟଚମଟ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚ ଛାଡି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଭିତରେ ଦିଲ୍ଲୀରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ତାଙ୍କ ସହ ତିନି ବିଧାୟକ ମଧ୍ୟ ରହିଛନ୍ତି। ଝାଡ଼ଖଣ୍ଡରେ କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦିଲ୍ଲୀରେ ସୋରେନଙ୍କ ଉପସ୍ଥିତି ହଟଚମଟ ବଢାଇଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ନେତା ଚମ୍ପାଇ ସୋରେନ୍ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଏୟାର ଇଣ୍ଡିଆ ବିମାନଯୋଗେ କୋଲକାତା ଦେଇ ଦିଲ୍ଲୀ ଆସିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ସେ କହିଛନ୍ତି ଯେ ସେ ବ୍ୟକ୍ତିଗତ କାମ ପାଇଁ ଦିଲ୍ଲୀ ଆସିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କୋଲକାତାରେ ସେ କାହାକୁ ଭେଟିନାହାନ୍ତି।
ଚମ୍ପାଇ ସୋରେନ୍ ବିଜେପିର ବଡ଼ ବଡ଼ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେ ଯେକୌଣସି ସମୟରେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ତେବେ ଚମ୍ପାଇ ସୋରେନ୍ ବିଜେପିରେ ଯୋଗ ଦେବେ ବୋଲି କହିନାହାନ୍ତି କି ଏହାକୁ ସିଧାସଳଖ ଅସ୍ୱୀକାର କରିନାହାନ୍ତି। ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ୍ ଜେଲ ଯାଇଥିଲେ । ଏହି ସମୟରେ ଅନୁଗତ ଚମ୍ପାଇ ସୋରେନ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ହେମନ୍ତ ଜାମିନ ପାଇବା ପରେ ଚମ୍ପାଇ ନିଜ ପଦରୁ ଇସ୍ତଫା ଦେଇଥିଲେ। ପରେ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ଭାବେ ଆସନ ଗ୍ରହଣ କରିଛନ୍ତି। ଏହାପରେ ଚମ୍ପାଇ ଦଳରେ ଅସନ୍ତୋଷ ଥିବା କୁହାଯାଉଛି।
Follow Us