କନକ ବ୍ୟୁରୋ: ଝାଡଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ଚଂପାଇ ସରକାର । ବିଧାନସଭାରେ ଚଂପାଇ ସୋରେନ୍ ସରକାର ସପକ୍ଷରେ ୪୭ଟି ଭୋଟ୍ ପଡିଥିଲା । ବିଧାନସଭାରେ ୮୧ ସଦସ୍ୟ ରହିଛନ୍ତି । ବହୁମତ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା । ଜେଏମଏମ-ଆରଜେଡି ଏବଂ କଂଗ୍ରେସ ପାଖରେ ୪୭ ବିଧାୟକ ଥିଲେ । ଏହି ସମସ୍ତ ବିଧାୟକ ଚଂପାଇଙ୍କ ସମର୍ଥନରେ ଭୋଟ୍ ଦେଇଛନ୍ତି । ଏଥିମଧ୍ୟରୁ ୨୯ ବିଧାୟକ ଜେଏମଏମର, ୧୭ ଜଣ କଂଗ୍ରେସର ଏବଂ ଆରଜେଡିର ଜଣେ ବିଧାୟକ ରହିଛନ୍ତି । ରାଂଚି ଜମି ଅନିୟମିତତା ମାମଲାରେ ହେମନ୍ତ ସୋରେନ୍ ଗିରଫ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଚଂପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତାଙ୍କୁ ଆଜି ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ । ତାଙ୍କ ସରକାରକୁ ଅସ୍ଥିର କରିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚଂପାଇ । ଏପରି କହି ରାଜ୍ୟରେ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ଚଂପାଇ ସୋରେନ୍ । ଚଂପାଇ କହିଛନ୍ତି, ହେମନ୍ତ ଅଛି ମାନେ ହିମ୍ମତ ଅଛି ବା ସାହାସ ଅଛି । ଜାନୁଆରୀ ୩୧ ଦେଶ ପାଇଁ କଳା ଅଧ୍ୟାୟ । ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି ବୋଲି ଚଂପାଇ କହିଛନ୍ତି । ଆସ୍ଥା ଭୋଟ୍ ବେଳେ ଜେଏମଏମର ଶୀର୍ଷ ନେତା ହେମନ୍ତ ସୋରେନ ମଧ୍ୟ ଉପସ୍ଥିତ ଥିଲେ ।