ଚମୋଲି ଜଳ ପ୍ରଳୟ: ଗୋଟିଏ ଦିନରେ ୧୨ ଶବ ଉଦ୍ଧାର । ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା । ଉଦ୍ଧାର କାର୍ଯ୍ୟ ଜାରି

91

କନକ ବ୍ୟୁରୋ : କିଛିଦିନ ତଳେ ଉତ୍ତରାଖଣ୍ଡର ଚମୋଲି ଠାରେ ହୋଇଥିବା ହିମସ୍କଳନ ଘଟଣାରେ ମୃତକଙ୍କ ସଂଖ୍ୟା ୫୦ ଛୁଇଁଛି । ଆଜି ଗୋଟିଏ ଦିନରେ ଉଦ୍ଧାରକାରୀ ଦଳ ସୁଡଙ୍ଗ ଭିତରୁ ୧୨ ଜଣଙ୍କ ଶବ ଉଦ୍ଧାର କରିଛି । ଚମୋଲି ଜିଲ୍ଲାପାଳ ସ୍ୱାତୀ ଭଦୋରିଆ କହିଛନ୍ତି କି ସୁଡଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯରାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ୧୪ ରୁ ୧୬ ତାରିଖ ଯାଏ ସେହି ଅଞ୍ଚଳରେ ପାଗ ଖରାପ ରହିବା ସହ ବର୍ଷା ସମ୍ଭାବନା ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ !

ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି କି ତପୋବନ ଟର୍ନେଲରେ ୭ ଫେବୃଆରୀ ଠାରୁ ଉଦ୍ଧାର କାର୍ଯ୍ୟ ଲଗାତର ଭାବେ ଜାରି ରହିଛି । ଏନଡିଆରଏଫ୍ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏବେ ଏନଡିଆରଏଫ୍ ଟିମ ପକ୍ଷରୁ ହାଇ ଡେଫିନେସନ କ୍ୟାମେରା ମାଧ୍ୟମରେ ଟର୍ନେଲ ଭିତରେ ଫଶି ରହିଥିବା ଲୋକମାନଙ୍କର ସନ୍ଧାନ କରୁଥିବା ଡିଜିପି କହିଛନ୍ତି ।

କହିରଖୁ କି ଫେବୃଆରୀ ୭ ତାରିଖ ଦିନ ଉତ୍ତରାଖଣ୍ଡ ଚମୋଲି ଠାରେ ଋଷିଗଙ୍ଗା ନଦୀର ଉପର ଭାଗରେ ହିମସ୍କଳନ ହୋଇଥିଲା । ଫଳରେ ନଦୀରେ ଅଚାନକ ବନ୍ୟା ଆସିଯାଇଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳ ପୁରା ଜଳମଗ୍ନ ହୋଇପଡିଥିଲା । ପାଣି ଭିତରେ ଫଶି ଯାଇଥିଲେ ଶହ ଶହ ଲୋକ । ସେମାନଙ୍କ ମଧ୍ୟରୁ ଆଜିଯାଏ ୫୦ ଟି ମୃତଦେହ ଓ ଜୀବିତ ଅବସ୍ଥାରେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୧୫୬ ଜଣ ନିଖୋଜ ଥିବା ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି ।