ଚମୋଲି ହିମସ୍କଳନ : ୮ ମୃତ, ୩୮୪ ଲୋକଙ୍କୁ ଉଦ୍ଧାର କଲା ସେନା । ଉଦ୍ଧାର କାର୍ଯ୍ୟ ଜାରୀ

118

କନକ ବ୍ୟୁରୋ : କରୋନା କାଳରେ ଉତ୍ତରାଖଣ୍ଡରେ ପୁଣି ଏକ ବିପଦ ଲୋକମାନଙ୍କୁ ଅସୁବିଧାରେ ପକାଇଛି । ଶୁକ୍ରବାର ଦିନ ଚମୋଲି ଜିଲ୍ଲାର ସୁମନା ଅଞ୍ଚଳରେ ହୋଇଥିବା ହିମସ୍କଳନରେ ଅନେକ ଲୋକ ଫସି ଯାଇଛନ୍ତି । ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସେନାର ସୂଚନା ମୁତାବକ ବର୍ତମାନ ପର୍ଯ୍ୟନ୍ତ ୩୮୪ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଦୀର୍ଘ ୫ ଦିନ ହେବ ଲଗାତର ବରଫ ପଡୁଛି ଓ ବର୍ଷା ହେଉଛି । ଫଳରେ ସୁମନା ରିମଖିସ ରୋଡର ୪ କିଲୋମିଟର ପର୍ଯ୍ୟନ୍ତ ହିମସ୍କଳନ ହେଉଛି । ଫଳରେ ନିକଟରେ ଥିବା ବୋର୍ଡର ରୋଡ ଓ ଦୁଇଟି ଶ୍ରମିକ କ୍ୟାମ୍ପ ବରଫ ଭିତରେ ଫସି ଯାଇଛି   ।
ଅନ୍ୟପଟେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ରାତିସାରା ସେନା ଉଦ୍ଧାର କାର୍ଯ୍ୟରେ ଲାଗି ବିଆରଓ କ୍ୟାମ୍ପରୁ ୧୫୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧର କରିଛି । ସେମାନଙ୍କୁ ସେନା କ୍ୟାମ୍ପରେ ରଖାଯାଇଛି ବୋଲି ସେନା କହିଛି ।
କହିରଖୁ କି ଏହାପୂର୍ବରୁ ଫେବୃଆରୀ ୭ ତାରିଖରେ ଗ୍ଲେସିୟର ଭାଙ୍ଗିବା କାରଣରୁ ଏଠାରେ ବଡ ଦୁର୍ଘଟଣା ହୋଇଥିଲା । ଫଳରେ ଅନେକ ଲୋକଙ୍କର ଜୀବନ ଯାଇଥିଲା । ଏବେ ବି କିଛି ଲୋକ ନିଖୋଜ ରହିଛନ୍ତି ।