କନକବ୍ୟୁରୋ: ୨୦୨୭ ସୁଦ୍ଧା ରାଜ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍। ଏନେଇ ବଜେଟ୍ ଉପସ୍ଥାପନ ବେଳେ ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହା ଚଳାଚଳ କରିବ । ଏଥିପାଇଁ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଅଧିନରେ ୬୨୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ରାଜ୍ୟ ବଜେଟରେ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ପ୍ରଦାନ କରିଛନ୍ତି।

ଏଥିପାଇଁ ମୋଟ ୫୮ ହଜାର ୧୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।  ଆଗାମୀ ୫ ବର୍ଷରେ ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରହିଛି। ରାଜ୍ୟର ଦୁର୍ଗମ ଓ ଅପହଞ୍ଚ ଅଂଚଳକୁ ସଡ଼କ ନିର୍ମାଣ କରାଯିବ ଓ ନଦୀ ଓ ଜଳାଶୟ ଉପରେ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସଡ଼କ ଓ ସେତୁ ନିର୍ମାଣ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୧୫୮୬୫ କୋଟିର ବ୍ୟୟବରାଦ କରାଯାଇଛି । ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ବ୍ୟୟବରାଦକୁ ୨୬ ପ୍ରତିଶତ ବୃଦ୍ଧି କରି ୯୪୫୬ କୋଟି ଟଙ୍କା କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧୯୭୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।