ବିଜେପି ଗଡକୁ କଂଗ୍ରେସର ଟାର୍ଗେଟ ! ଗୁଜୁରାଟରେ ବିଜୟ ଧାରା ବଜାୟ ରଖିପାରିବ କି ବିଜେପି, ନା କମାଲ କରିବ କଂଗ୍ରେସ ।

164

କନକ ବ୍ୟୁରୋ : ୨୦୧୯ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଶକ୍ତି ପରୀକ୍ଷା ହେବ । କାରଣ ମୋଦି-ଶାହାଙ୍କ ଘରୋଇ ରାଜ୍ୟ ଗୁଜୁରାଟର ସମସ୍ତ ୨୬ଟି ଲୋକସଭା ଆସନରେ ଏପ୍ରିଲ ୨୩ ତାରିଖରେ ଭୋଟ୍ ପଡିବ । ଗତ ଦୁଇ ଦଶନ୍ଧି ଧରି ବିଜେପିର ଗଡ ଭାବେ ରହିଆସିଛି ଗୁଜୁରାଟ । ୨୦୧୪ ନିର୍ବାଚନରେ ଗୁଜୁରାଟରେ ବିଜେପି କ୍ଲିନ୍ ସୁଇପ କରିବା ସହ ସମସ୍ତ ୨୬ଟି ଆସନରେ ବିଜୟ ହୋଇଥିଲା । କିନ୍ତୁ ୨୦୧୭ ବିଧାନସଭା ନିର୍ବାଚନରେ ଗୁଜୁରାଟରେ କମାଲ ଦେଖାଇଥିଲା କଂଗ୍ରେସ । ଆଉ ଏଥି ପାଇଁ ଚଳିତ ନିର୍ବାଚନରେ ନିଜ ଗଡ ବଞ୍ଚାଇବା ମୋଦି ଏବଂ ଶାହାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ଗୁଜୁରାଟରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇନାହାନ୍ତି । କିନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗାନ୍ଧୀନଗର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ଆସନ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କର ଅଟେ । କିନ୍ତୁ ଏଥର ଆଡଭାନୀଙ୍କ ବଦଳରେ ପ୍ରଥମ କରି ଶାହା ଏହି ଆସନରୁ ଲଢୁଛନ୍ତି । ଗୁଜୁରାଟକୁ ବିଜେପିର ଗଡ ବୋଲି କୁହାଯାଉଥିବା ବେଳେ, ଗଡ ବଞ୍ଚାଇବା ପାଇଁ ଏଠାରେ ଜୋରଦାର ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୯୦ ଦଶକରୁ ଗୁଜୁରାଟକୁ ବିଜେପି ନିଜ ଅକ୍ତିଆରକୁ ନେଇଥିବା ବେଳେ, ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଦଳ ସେଠାରେ ଆଧିପତ୍ୟ ବିସ୍ତାର କରିପାରିନାହାନ୍ତି । ବିଧାନସଭା ଠାରୁ ଆରମ୍ଭ କରି ଲୋକସଭା ନିର୍ବାଚନ ପର୍ଯ୍ୟ. ସବୁଥିରେ ବାଜି ମାରିଛି ବିଜେପି । ୧୯୯୫ରେ ଦଳ ଏଠାରେ ସରକାର ଗଢିଥିବା ବେଳେ, ୨୦୧୪ରେ କ୍ଲିନ ସୁଇପ କରିଥିଲା । ତେବେ ଦୀର୍ଘ ଦୁଇ ଦଶନ୍ଧି ପରେ ଗତ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଗୁଜୁରାଟରେ ବିଜେପିକୁ କଡା ଟକ୍କର ଦେଇଥିଲା । ସରକାର ଗଢିବାରେ ହୁଏତ କଂଗ୍ରେସ ସଫଳ ହୋଇପାରିନଥିଲା କିନ୍ତୁ ପ୍ରଥମ ଥର ପାଇଁ ବିଜେପିକୁ ୧୦୦ ସଂଖ୍ୟା ଛୁଇଁବାକୁ ଦେଇନଥିଲା କଂଗ୍ରେସ । ଏହି ନିର୍ବାଚନରେ ବିଜେପିକୁ ୯୯ଟି ଆସନ ମିଳିଥିବା ବେଳେ, ଅନ୍ୟପଟେ କଂଗ୍ରେସ ହାତେଇଥିଲା ୮୧ଟି ସିଟ୍ । ତେବେ ୨୦୧୭ରେ କଂଗ୍ରେସର ଏହି ସଫଳତା ୨୦୧୯ରେ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଉ ଗଡ ବଞ୍ଚାଇବା ଏବେ ବିଜେପି ବିଶେଷ କରି ମୋଦି-ଶାହା ଯୋଡିଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।