ଟିମ୍ ସାଗରିକା ଜାଲରେ ‘ସହରୀ ବାଘ’ ।  ଫ୍ୟାନ୍ସି ନମ୍ବର ପ୍ଲେଟ ପାଇଁ ଫଶିଗଲେ ଫୁଲନଖରା ଯୁବକ, ବିଳାସପୂର୍ଣ୍ଣ ଗାଡି ନାଁରେ ୫୦୦ ଟଙ୍କାର ଚାଲାଣ କାଟିଲେ ଟ୍ରାଫିକ ଅଧିକାରୀ । 

68,574
କନକ ବ୍ୟୁରୋ : ଟ୍ରାଫିକ ପଞ୍ଝାରେ ଟାଉନ୍ ଟାଇଗର । ରାଜଧାନୀର ରାଜରାସ୍ତାରେ ଆଗେଇ ଚାଲୁଥିବା ବେଳେ ହଠାତ୍ ଟ୍ରାଫିକ୍ ଜାଲରେ ଫଶିଗଲା ଟାଉନ୍ ଟାଇଗର । ଆଉ ଟ୍ରାଫିକ ହାବୁଡରେ ପଡିବା ପରେ ଟାଉନ ଟାଇଗର ନାଁ ପାଇଁ ନାକେଦମ ହୋଇଛନ୍ତି ଫୁଲନଖରାର ଗୌରହରି ସାହୁ ।
ସମୟ ପ୍ରାୟ ୧୧ଟା । ସ୍ମାର୍ଟସିଟି ଭିତରେ ମାଡି ଚାଲିଥିଲା ଏକ ଧଳାରଙ୍ଗର ଲଗଜ୍ୟୁରିଅସ ବିଷ୍ଟ ମଡେଲର ଗାଡି । ତେବେ ହଠାତ୍ ଏହି ଗାଡି ଉପରେ ଟ୍ରାଫିକ ପୋଲିସର ନଜର ପଡିଥିଲା । ଆଉ ଏହାକୁ ଟ୍ରାକ୍ କରି ଅଧବାଟରେ ଅଟକାଇଥିଲେ ଟ୍ରାଫିକ ଅଧିକାରୀ । ଗାଡିର ସବୁକିଛି କାଗଜପତ୍ର ଠିକ୍ ଥିଲେ ମଧ୍ୟ ଗାଡିର ନମ୍ବର ପାଇଁ ଚାଳକଙ୍କୁ ନାକେଦମ ହେବାକୁ ପଡିଥିଲା । କାରଣ ଗାଡିରେ ଫ୍ୟାନ୍ସିଂ ନମ୍ବର ପ୍ଲେଟ ଲଗାଯିବା ସହ ଏଥିରେ ‘ଟାଉନ ଟାଇଗର’ ଲେଖାଯାଇଥିଲା । ଯାହା ଟ୍ରାଫିକ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିଲା । ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଫ୍ୟାନ୍ସିଂ ନମ୍ବର ପ୍ଲେଟ ପାଇଁ ଗାଡି ଚାଳକ ଗୌରହରି ସାହୁଙ୍କ ନାଁରେ ୫୦୦ ଟଙ୍କାର ଚାଲାଣ କାଟିଥିଲା ପୋଲିସ । ଆଉ ଏହାକୁ ଟ୍ୱିଟ୍ କରି ଫ୍ୟାନ୍ସିଂ ନମ୍ବର ପ୍ଲେଟ ନ ଲଗାଇବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।
ବଡ ବଡିଆଙ୍କ ଗାଡି ଉପରେ ଚାଲାଣ କାଟିବା ସହ ସାଧାରଣ ଲୋକଙ୍କ ଅଭିଯୋଗର ଲମ୍ବା ଫର୍ଦ୍ଦରେ ପୂର୍ଣ୍ଣଚ୍ଛେଦ ପକାଇଛି ଟ୍ରାଫିକ ପୋଲିସ । ଏହାପୂର୍ବରୁ ଟ୍ରାଫିକ ପୋଲିସ କେବଳ ବାଇକ ଓ ଅଟୋ ଚାଳକଙ୍କ ଉପରେ ଜୁଲୁମ କରୁଥିବା ବେଳେ ବଡ ବଡିଆଙ୍କ ଗାଡିକୁ ହାତ ମାରିବାକୁ ସାହସ ଜୁଟାଇ ପାରୁନାହିଁ ବୋଲି ଅଭିଯୋଗ କରି ଆସୁଥିଲେ ସାଧାରଣ ଲୋକେ । କିନ୍ତୁ ଟ୍ରାଫିକ ପୋଲିସର ଏହି କାର୍ଯ୍ୟଶୈଳୀ ପ୍ରଶ୍ନ ଉଠାଉଥିବା ବ୍ୟକ୍ତିଙ୍କୁ ଭୁଲ ବୋଲି ପ୍ରମାଣିତ କରିଛି । ସାଧାରଣ ଲୋକ ହୁଅନ୍ତୁ ବା ବଡ ବଡିଆ, ଟ୍ରାଫିକ ନିୟମ ସମସ୍ତଙ୍କ ପାଇଁ ସମାନ । ଏକଥାକୁ ପ୍ରମାଣିତ କରିଛି ଟ୍ୱିନସିଟିର ଟ୍ରାଫିକ ବ୍ୟବସ୍ଥା ।