ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା କୃଷକଙ୍କ ଚକାବନ୍ଦ ଆନ୍ଦୋଳନ । ଆଇନ୍ ପ୍ରତ୍ୟାହାର କରିବାକୁ ୨ ତାରିଖ ଯାଏଁ ସମୟ ଦେଲେ ଚାଷୀ ନେତା ।

76

କନକ ବ୍ୟୁରୋ: ଦେଶବ୍ୟାପୀ ୩ ଘଂଟିଆ ଚକାବନ୍ଦ ଆନ୍ଦୋଳନରୁ ଦିଲ୍ଲୀକୁ ବାଦ ଦେଇଥିଲେ ଚାଷୀ ସଂଗଠନ । ହେଲେ ସବୁଠୁ ଅଧିକ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା ଦେଶର ରାଜଧାନୀ ଦିଲ୍ଲୀରେ । ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲିର ଉପଦ୍ରବ ଓ ଲାଲକିଲ୍ଲାରେ ହିଂସାର ତିକ୍ତ ଅନୁଭୁତି ଦିଲ୍ଲୀ ପୁଲିସକୁ କୋରି ପକାଇଥିଲା । ତେଣୁ ୩ ଘଂଟିଆ ଚକାଜାମ ଡାକାରକୁ ନେଇ ସତର୍କ ପୁଲିସ ଦିଲ୍ଲୀ ଓ ଦିଲ୍ଲୀ ସୀମାରେ ଏପରି ସୁରକ୍ଷା ବ୍ୟବସ୍ଥା କରିଥିଲା, ଯାହା କେବେ ଦେଖିବାକୁ ମିଳିନଥିଲା ।

ମୁତୟନ ହେଲେ ୫୦ ହଜାର ସୁରକ୍ଷାକର୍ମୀ
ଦିଲ୍ଲୀ ସୀମା ଉପରେ ନଜର ରଖିଲା ଡ୍ରୋନ

ଚାଷୀଙ୍କ ଚକାଜାମ୍ ଆନ୍ଦୋଳନକୁ ଆଖିରେ ରଖି ତିନି ଥାକିଆ ବ୍ୟାରିକେଡିଂ ବ୍ୟବସ୍ଥା କରିଛି ପୋଲିସ । ଦିଲ୍ଲୀକୁ ସଂଯୋଗ କରୁଥିବା ସିଂଘୁ, ଟିକରି ଓ ଗାଜିପୁର ସୀମାରେ ବ୍ୟାରିକେଡିଂ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି । ଗାଜିପୁର ବର୍ଡରରେ ଲୁହବୁହା ଗ୍ୟାସ, ୱାଟର କ୍ୟାନନ ସହ ପ୍ରସ୍ତୁତ ହୋଇ ରହିଥିଲେ ସୁରକ୍ଷା କର୍ମୀ । ଦିଲ୍ଲୀ-ଗାଜିଆବାଦର ଲୋନି ସୀମା ସମେତ ସମ୍ବେଦନଶୀଳ ସ୍ଥାନଗୁଡିକରେ ଡ୍ରୋନ କ୍ୟାମେରା ଉଡାଇ ସ୍ଥିତି ଉପରେ ନଜର ରଖିଥିଲା ପୁଲିସ । ସେପଟେ ସିଙ୍ଘୁ ବର୍ଡରରେ କୃଷକଙ୍କ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିଥିଲେ ମଧ୍ୟ ଇଂଟରେନଟ ସେବା ବନ୍ଦ ରଖାଯାଇଛି । ସେପଟେ ଦିଲ୍ଲୀର ୧୮ଟି ମେଟ୍ରୋ ଷ୍ଟେସନକୁ ୩ ଘଂଟା ପାଇଁ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରଖାଯାଇଥିଲା । ଆଉ ଦିଲ୍ଲୀର ସହିଦ ପାର୍କରେ କୃଷକ ସଂଗଠନର ଚକାବନ୍ଦ ସମର୍ଥନରେ ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ କରୁଥିବା ବିକ୍ଷୋଭକାରୀଙ୍କୁ ଗିରଫ କରିଛି ପୁଲିସ ।

କୃଷକ ସଂଗଠନର ୩ ଘଂଟିଆ ଚକା ବନ୍ଦ ପରେ ଗାଜି ବର୍ଡରରେ କୃଷକଙ୍କୁ ସମ୍ବୋଧିତ କରିଥିଲେ ଚାଷୀ ନେତା ରାକେଶ ଟିକାୟତ । ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପାଇଁ ଆଇନ ଆଣିବାକୁ ଅକ୍ଟୋବର ୨ ତାରିଖ ଯାଏଁ ସମୟ ଦେଇଛନ୍ତି । ଦେଶବ୍ୟାପି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଚକାବନ୍ଦ ଆନ୍ଦୋଳନ । ତେବେ ଦିଲ୍ଲୀ, ଉତରପ୍ରଦେଶ ଓ ଉତରାଖଣ୍ଡକୁ ଛାଡି ଦେଶର ଅନ୍ୟସ୍ଥାନଗୁଡିକରେ କୃଷକ ସଂଗଠନ ରାଜପଥ ବନ୍ଦ କରି ବିରୋଧ ପ୍ରଦର୍ଶନ କରିଛନ୍ତି ।