ଚାଷୀଙ୍କ ଜମିରେ ଲାଗିଛି ଚକଡା ପୋକ । ଗୁରୁତର ସହ ନେଉନାହାନ୍ତି କୃଷି ଅଧିକାରୀ ।

100

କନକ ବ୍ୟୁରୋ : ଖରା ବର୍ଷାର ଲୁଚକାଳି ଖେଳ ଭିତରେ ସମ୍ବଲପୁର ଜିଲ୍ଲାରେ ପୁଣି ଚକଡା ପୋକ ଲେଉଟିଲାଣି । ବର୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟ ଥିବାରୁ ନିରାକରଣ ପାଇଁ ଦାବି କରିଛି ଚାଷୀ । ଦିନେ ଦୁଇଦିନ ମଧ୍ୟରେ ବଡ ବର୍ଷା ନହେଲେ ଚକଡା ବ୍ୟାପିବା ସାଙ୍ଗକୁ ମରୁଡି ଫେରିବା ଆଶଙ୍କା ଦେଖା ଦେଇଛି ।

ସମ୍ବଲପୁର ଜିଲ୍ଲାର ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ଚକଡା । ପୂର୍ବରୁ ମରୁଡି ସମସ୍ୟାରେ ଚାଷୀ ଘାଣ୍ଟି ହେଉଥିବା ବେଳେ ଏବେ ଚକଡା ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି । ଜିଲ୍ଲାର ରୂପାପାଲି ଅଞ୍ଚଳରେ କିଛି ଚାଷୀଙ୍କ ଜମିରେ ଚକଡା ପୋକ ଲାଗିଛି । ତେବେ ଚକଡା କାୟା ବିସ୍ତାର କରିବା ଆଗରୁ ନିରାକରଣ ପାଇଁ ବ୍ୟବସ୍ଥା କରାନଗଲେ ଆଗକୁ ଏହା ଚାଷୀଙ୍କ ପାଇଁ ବିଦପ ସାଜିପାରେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚାଷୀ ଅଭିଯୋଗ ଅନୁସାରେ କୃଷି ଅଧିକାରୀ ଚାଷ ଜମି ପରିଦର୍ଶନ କରିନାହାନ୍ତି । ଚକଡା ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଯଦି ଏବେ କୃଷି ବିଭାଗ ଘଟଣାକୁ ଗୁରୁତର ସହ ନେଲେ ଏହାର ନିରାକରଣ ସମ୍ଭବ ବୋଲି ଚାଷୀ କହିଛନ୍ତି । ଯଦି ବିଳମ୍ବ ହୁଏ ତେବେ ସ୍ଥିତି ସାଂଘାତିକ ହେବାର ଆଶଙ୍କା କରାଯାଉଛି ।