ସୁସ୍ଥ ହେଉଛନ୍ତି ଶ୍ରୀଜିଉ : ଆଜି ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହଙ୍କ ଚକାବିଜେ ନୀତି

136

କନକ ବ୍ୟୁରୋ: ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରି ମହାପ୍ରଭି ଏବେ ଜ୍ୱରରୁ ଧିରେ ଧିରେ ଉପଶମ ହେଉଛନ୍ତି । ଏବେ ଅଣସର ଗୃହରେ ଶ୍ରୀଜିଉଙ୍କ ଚାଲିଛି ଗୁପ୍ତ ନୀତି ସେବା । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତ ନୀତି ସେବା କରୁଛନ୍ତି । ଏହି କ୍ରମରେ ଶ୍ରୀଜିଉଙ୍କ ଓଦା ବସ୍ତ୍ର ଉଲାଗି ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ କରାଯିବା ପରେ ମହାପ୍ରଭୁଙ୍କ ସ୍ୱାସ୍ଥ୍ୟ ଧିରେ ଧିରେ ସୁସ୍ଥ ହେଉଛି ।

ଗତ ପଂଚମୀ ତିଥିରେ ମଧ୍ୟାହ୍ନ ଧୂପ ପରେ ଦଇତାପତି ଓ ପତି ମହାପାତ୍ର ସେବକମାନେ ଏହି ଫୁଲୁରୀ ତେଲ ଲାଗି ସହ ତିନି ଦିନ ଧରି ଓସୁଅ ଲାଗି କରାଯାଉଥିଲା । ପରମ୍ପରା ଅନୁସାରେ, ଅଣସରର ପଂଚମ ଦିନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ସ୍ୱତନ୍ତ୍ର ଫୁଲୁରୀ ତେଲ ତିଆରି ବିଶେଷ ଭାବେ ପ୍ରସ୍ତୁତ କରାଯାଏ । ରାଶି ତେଲରେ ବିଭିନ୍ନ ସୁବାଷିତ ପୁଷ୍ପ ଯଥା ମଲ୍ଲୀ, କେତକୀ, ଦୁଇ ଆଦି ଫୁଲ ଏହି ତେଲରେ ପକାଯାଏ । ହେରା ପଂଚମୀ ଦିନ ଏହି ତେଲକୁ ପ୍ରସ୍ତୁତ କରାଯାଇ ମାଟି ତଳେ ଏକ ପାତ୍ରରେ ଏକ ବର୍ଷ ପାଇଁ ପୋତାଯାଇ ରଖାଯାଇଥିଲା । ଅଣସରର ପଂଚମ ତିଥିରେ ମାଟି ତଳୁ ଏହି ସ୍ୱତନ୍ତ୍ର ତେଲକୁ ବାହାର କରାଯାଇ ଶ୍ରୀମନ୍ଦିରକୁ ଅଣାଯାଏ । ପରେ ମହାପ୍ରଭୁଙ୍କ ଗୁପ୍ତ ନୀତି କାନ୍ତି ସରିବା ପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଏହି ଫୁଲୁରୀ ତେଲ ଲାଗି ହୋଇଛି ।

ସେହିପରି ଷଷ୍ଠୀ ତିଥି ରୁଶ୍ରୀ ବିଗ୍ରହ ଦେହରେ ଓସୁଅ ଲାଗି କରାଯାଇଛି । ଯାହାକି ଅଣସର ସୁଦୁ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ରାଶି ତେଲ ଓ ଝୁଣାରେ ଓସୁଅକୁ ଲାଗି କରାଯାଇଛି । ଏହା ପରେ ଆଜି ଦଶମିରେ ଚକାବିଜେ ନୀତି ସହ ଦଶମୂଳ ଔଷଧ ଖାଇ ଠାକୁର ସୁସ୍ଥ ହୁଅନ୍ତି । ଦଇତାପତି ସେବକମାନେ ଅସୁସ୍ଥ ମହାପ୍ରଭୁଙ୍କ ଏହି ଚଳାବିଜେ ନୀତି କରାଇବେ ତେବେ ୧୦୮ ଗରାରେ ଗାଧୋଇବା ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଜ୍ୱରରେ କମ୍ପୁଥିବା ମହାପ୍ରଭୁ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଦଇତାପତି ସେବକ ମାନେ ମହାପ୍ରଭୁଙ୍କୁ ଚକା ଉପରକୁ ବିଜେ କରାଇଥାନ୍ତି । ଯାହାକି ମୁଗୁନି ପଥରରେ ନିର୍ମିତ ହୋଇଥାଏ । ଏହାପରେ ଆସନ୍ତା କାଲି ଅଣସରର ସବୁଠାରୁ ବଡ ନୀତି ଅନୁଷ୍ଠିତ ହେବ ।