କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ଚକା ଅପସର । ଅଣସର ଘରେ ଚକାବିଜେ ଅବସ୍ଥାରେ ବିରାଜମାନ ଶ୍ରୀଜିଉଙ୍କ ଚକା ଅପସର ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଗୁରୁବାର ଶ୍ରୀଜିଉଙ୍କୁ ଚକା ଓ ଅପସର ଶ୍ରୀମନ୍ଦିରକୁ ନିଆଯାଇଛି । ଅଣସର ପିଣ୍ଡିରେ ମହାପ୍ରଭୁ ଏହି ଚକା ଉପରେ ଆଉଜି କରି ବସିବେ । ଦରଜୀ ସେବକମାନେ ତିନି ରଙ୍ଗର କପଡ଼ାରେ ଏହି ଚକା-ଅପସର(ଗୋଲାଗାର ଗଦି) ପ୍ରସ୍ତୁତ କରିବା ପରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।
ଦରଜୀ ସେବକଙ୍କ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ସୂଚନା ମୁତାବକ, ଶ୍ରୀଜିଉଙ୍କ ପାଇଁ ୬ଟି ଚକା ଓ ୬ଟି ଅପସର ପ୍ରସ୍ତୁତ ହୋଇଥାଏ । ରଥ ଉପରେ ବିଜେ ପାଇଁ ତିନୋଟି ଲେଖାଏଁ ଓ ଶ୍ରୀମନ୍ଦିରରେ ସମୟରେ ତିନୋଟି ଲେଖାଏଁ ଚକା ଓ ଅପସର ଆବଶ୍ୟକ ପଡ଼ିଥାଏ । ଶ୍ରୀମନ୍ଦିରରେ ବର୍ଷତମାମ ମହାପ୍ରଭୁଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ଚକା ଓ ଅପସର ଓଡ଼ିଆ ମଠ ନିଜସ୍ବ ଖର୍ଚ୍ଚରେ ଯୋଗାଇ ଦେଇଥାଏ । ରଥ ପାଇଁ ଆବଶ୍ୟକ ଚକା ଓ ଅପସର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ କରିଥାଏ । ଏଥିରେ ତିନି ପ୍ରକାର ରଙ୍ଗର କପଡ଼ା ବ୍ୟବହାର କରାଯାଇଥାଏ ଯଥା ହଳଦିଆ, ନାଲି ଓ ସବୁଜ ରଙ୍ଗ ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।