୪୧ ବର୍ଷ ପରେ ଦେଶକୁ ମିଳିଲା ମେଡାଲ : ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଜ; ପଦକ ପାଇଁ ଲଢ଼େଇରେ ଦେଖିବାକୁ ମିଳିଲା ରୋମାଂଚକର ହକି

42

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ପୁରୁଷ ହକି ଦଳ । ୪୧ ବର୍ଷ ପରେ ଅଲିମ୍ପିକ୍ସରୁ ଆସିଲା ମେଡାଲ । ବ୍ରୋଂଜ ମେଡାଲ ନିଜ ନାଁରେ କରିଛି ଭାରତୀୟ ପୁରୁଷ ହକି ଦଳ । ରୋମାଞ୍ଚକର ମୁକାବିଲାରେ ଜର୍ମାନୀକୁ ୫-୪ରେ ହରାଇ ଭାରତୀୟ ଦଳ ଇତିହାସ ରଚିଛି । ଭାରତ ପକ୍ଷରୁ ସିମରନଜିତ୍ ସିଂହ ଦୁଇଟି, ହରମନପ୍ରୀତ ସିଂହ, ଋପିନ୍ଦର ପାଲ ଓ ହାର୍ଦ୍ଦିକ୍ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।

ଆରମ୍ଭରୁ ଭାରତର ପ୍ରଦର୍ଶନ ଭଲ ନଥିଲା । ପ୍ରଥମ ମିନିଟରେ ହିଁ ଗୋଲ ଦେଇଥିଲା ଜର୍ମାନୀ । ୫ ମିନିଟରେ ଭାରତ ପକ୍ଷରୁ ଋପିନ୍ଦର ପାଲ ପେନାଲ୍ଟି କର୍ଣ୍ଣରକୁ ଗୋଲ କରିବାରେ ବିଫଳ ହୋଇଥିଲେ । ପ୍ରଥମ କ୍ୱାର୍ଟର ସୁଦ୍ଧା ଜର୍ମାନୀ ୧-୦ରେ ଆଗୁଆ ଥିଲା । ଦ୍ୱିତୀୟ କ୍ୱାର୍ଟରରେ ଜବରଦସ୍ତ ପ୍ରତ୍ୟାବର୍ତନ କରିଥିଲା ଟିମ୍ ଇଣ୍ଡିଆ । ୧୭ ମିନିଟରେ ସିମରନଜିତ୍ ସିଂହ ଫିଲ୍ଡ ଗୋଲ ଦେଇ ୧-୧ରେ ବରାବର କରିଥିଲେ । ଏହା ପରେ ଜର୍ମାନୀ ଲଗାତର ଦୁଇଟି ଗୋଲ ଦେଇ ୩-୧ରେ ଆଗୁଆ ରହିଥିଲା । ୨୬ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରିଥିଲେ ହାର୍ଦ୍ଦିକ ସିଂହ ।

ଏହା ପରେ ଆଉ ଏକ ଗୋଲ କରିଥିଲେ ହରମନପ୍ରୀତ ସିଂହ । ତୃତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ଆଉ ଦୁଇଟି ଗୋଲ ଦିଆଯାଇଥିଲା । ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୫-୩ରେ ଆଗୁଆ ରହିଥିଲା । ଚତୁର୍ଥ କ୍ୱାର୍ଟରରେ ଭାରତୀୟ ହକି ଟିମ୍ ଉପରେ ଚାପ ପକାଇଥିଲା । ଜର୍ମାନୀ ଆଉ ଏକ ଗୋଲ ଦେବା ପରେ ବି ୫-୪ରେ ଆଗୁଆ ରହିଥିଲା ଭାରତ । ଶେଷ ୬ ସେକେଣ୍ଡରେ ଜର୍ମାନୀକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ବି ଗୋଲରେ ପରିବର୍ତ୍ତନ କରିପାରିନଥିଲା । ଏହି ବିଜୟ ସହ ଭାରତ ୧୯୮୦ ପରେ ଅଲିମ୍ପିକ୍ସର ମେଡାଲ ଜିତିଛି ।