ଗଞ୍ଜାମର ଇଷ୍ଟଦେବୀ ତାରା ତାରିଣୀଙ୍କ ଯାତ୍ରାର ଆଜି ୨ୟ ମଙ୍ଗଳବାର : କରୋନା କଟକଣାରେ ମା’ଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

95

କନକ ବ୍ୟୁରୋ : ଆଜି ଚୈତ୍ର ମାସର ଦ୍ବିତୀୟ ମଙ୍ଗଳବାର । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ପାଳନ ହେଉଛି। ସବୁଠାରୁ ବଡ଼ କଥା ହେଲା ଯେ ଏଠାରେ ପ୍ରତିବର୍ଷ ବହୁ ଶ୍ରଦ୍ଧାଳୁ ମୁଣ୍ଡନ କରାଇଥାନ୍ତି। ହେଲେ ଏଥର ତାହାକୁ ବନ୍ଦ ରଖାଯାଇଛି । ଏହି ଯାତ୍ରାକୁ ମୁଣ୍ଡନ ଯାତ୍ରା ବୋଲି ବି କୁହାଯାଇଥାଏ । ତଥାପି କେତେକ ଲୋକ ଅନ୍ୟ ଜାଗାରେ ମୁଣ୍ଡନ କରାଇ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ପରିଲକ୍ଷିତ ହେଉଛି ।

ସୂଚନାଯୋଗ୍ୟ, ଗତବର୍ଷ କରୋନାର ପ୍ରକୋପ ଲାଗି ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇ ପାଳି ପରେ ଆଉ ହୋଇପାରି ନ ଥିଲା । ଭକ୍ତଙ୍କ ବିନା କେବଳ ମାଆଙ୍କ ନୀତିକାନ୍ତି ପାଳିତ ହୋଇଥିଲା । ଚଳିତ ବର୍ଷ ମଧ୍ୟ କୋଭିଡର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହୋଇ ଯାଇଥିବାବେଳେ ମାଆଙ୍କ ଯାତ୍ରା କୋଭିଡ କଟକଣା ଭିତରେ ପାଳନ ହେଉଛି । ଭୋର ୪ଟା ରେ ମନ୍ଦିର ଖୋଲି ମାଆଙ୍କ ସ୍ୱତନ୍ତ୍ର ନୀତି ପରେ ଦର୍ଶନ ଆରମ୍ଭ ହୋଇଛି। ଭକ୍ତ ବ୍ୟାରିକେଡ଼ରେ ଯାଇ ଦର୍ଶନ କରୁଛନ୍ତି । ଏ ବର୍ଷ ଚୈତ୍ର ମାସରେ ୫ଟି ମଙ୍ଗଳବାର ପଡ଼ୁଛି। ମାର୍ଚ୍ଚ ୩୦, ଏପ୍ରିଲ ୬, ୧୩, ୨୦ ଓ ୨୭ତାରିଖରେ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ହେବ ।

ଅନ୍ୟପକ୍ଷରେ ତାରାତାରିଣୀ ମନ୍ଦିର ହିଲ୍ ଟପ୍ ଏବଂ ତଳ ସିଂହଦ୍ବାର ନିକଟରେ ସମନ୍ବିତ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି । ଉକ୍ତ କଣ୍ଟ୍ରୋଲ ରୁମରେ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି ଓ ପୁଲିସ ଆଦି ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପରିଚାଳନା କରୁଛନ୍ତି । ମାଆଙ୍କ ମନ୍ଦିର(ହିଲ୍ ଟପ୍)କୁ ଯିବା ଲାଗି ପ୍ରଶାସନ ପକ୍ଷରୁ ୧୦ଟି ବସ୍ ବ୍ୟବସ୍ଥା ହୋଇଛି । ପ୍ରତି ଯାତ୍ରୀ ପିଛା ଟିକେଟ୍ ୬୦ଟଙ୍କା ଧାର୍ଯ୍ୟ ହୋଇଛି ।