ଆରମ୍ଭ ହେଲା ମାଆ ତାରିଣୀଙ୍କ ଚଇତି ପର୍ବ । ଲକ ଡାଉନ୍ ପାଇଁ ଖାଁ ଖାଁ ମନ୍ଦିର ବେଢା, ନା ଅଛି ଭକ୍ତଙ୍କ ଭିଡ, ନା ଅଛି ଆୟୋଜନ ।

644

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କର ଆଜିଠାରୁ ଆରମ୍ଭ ହୋଇଛି ୮୪ ତମ ଚଇତି ପର୍ବ । ହେଲେ ପ୍ରତିବର୍ଷ ଭଳି ଏଥର ଚଇତି ପର୍ବର ରଙ୍ଗ ଫିକା ପଡିଯାଇଛି । କରୋନା ମୁକାବିଲା ପାଇଁ ମା ତାରିଣୀଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ଏପରି ସମୟରେ କେବଳ ପୂଜକଙ୍କୁ ନେଇ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା ।

ଖାଁ ଖାଁ ମନ୍ଦିର ବେଢା । ନା ଅଛି ଭକ୍ତଙ୍କ ଭିଡ, ନା ଅଛି ସେହିପରି ଆୟୋଜନ । ଘଟଗାଁ ତାରିଣୀ ମନ୍ଦିରରେ ଚଇତି ପର୍ବ ଆରମ୍ଭ ହୋଇଥିବାବେଳେ ବିନା ଭକ୍ତରେ ଚାଲିଛି ମାଆ ତାରିଣୀଙ୍କ ପୂଜାର୍ଚ୍ଚନା । ଦିନେ ଯେଉଁଠି ଭକ୍ତର ଗହଳିରେ କମ୍ପି ଉଠୁଥିଲା ସାରା ପରିବେଶ, ଆଜି ସେଠି ଖାଲି ପୁଜାରୀ ଓ ସେବକଙ୍କୁ ନେଇ ଚାଲିଛି ନୀତିକାନ୍ତି ।

ମାଆ ତିରିଣୀ ପିଠରେ ଚଇତି ପର୍ବ ମାଆଙ୍କ ଅନ୍ୟତମ ପ୍ରମୁଖ ପର୍ବ ହୋଇଥାଏ । ଏହିସମୟରେ ମାଆଙ୍କ ସୁନାବେଶ କରାଯାଏ । ସକାଳୁ ମାଆଙ୍କ ସ୍ନାନ କାର୍ଯ୍ୟ ବାଳଧୂପ ପରେ ମାଆଙ୍କୁ ସୁନାବେଶ ଲାଗି କରାଯାଏ । ଏହା ସହ ମାଆଙ୍କ ପୀଠରେ ଚଣ୍ଡି ପାଠ, ଭାଗବତ ପାଠ, ହୋମ ଯଜ୍ଞ ଆଦିର ଆୟୋଜନ କରାଯାଏ । ପ୍ରତ୍ୟେକ ବର୍ଷ ମାଆଙ୍କ ଏହି ସୁନାବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥାଏ । ହେଲେ ଚଳିତ ବର୍ଷ କରୋନା ପାଇଁ ମନ୍ଦିର ବେଢା ସମ୍ପୂର୍ଣ୍ଣ ଖାଲି ଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଚଇତି ପର୍ବବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୁଏ । ହେଲେ ଚଳିତ ବର୍ଷ ସେସବୁକୁ ବାତିଲ କରାଯାଇଛି ।