ମୋ ଦୋକାନ ଆଗରେ କେହି ଛିଡା ହେବେନି । ଗ୍ରାହକଙ୍କ ପାଇଁ ଚେୟାର ପକାଇଲେ ଦୋକାନୀ. ଲମ୍ବା ଲାଇନରେ ବସିଲେ ଗ୍ରାହକ । ଡହଡହ ଖରାରେ ଦିଲ୍ ଜିତିନେଲେ ଦୋକାନୀ ।

499

କନକ ବ୍ୟୁରୋ : ଲମ୍ବା ଧାଡିରେ ଚେୟାର ପଡିଛି । ଆଉ ଚେୟାର ଉପରେ ଲୋକମାନେ ବସିରହିଛନ୍ତି । ସମସ୍ତେ ମୁହଁରେ ମାସ୍କ ପିନ୍ଧିଛନ୍ତି ଆଉ ସାମାଜିକ ଦୂରତା ନିୟମକୁ ମଧ୍ୟ ପାଳନ କରିଛନ୍ତି । ଆପଣଙ୍କ ମନରେ ହୁଏତ ପ୍ରଶ୍ନ ଉଠୁଥିବ ଏ ଲାଇନ୍ କାହିଁକି ? ଆଉ ଲୋକମାନେ କାହିଁକି ଏଠି ଧାଡିରେ ବସିରହିଛନ୍ତି । ସାଧାରଣତଃ ଏମିତି ଧାଡି ଆପଣ ଭୋଟ ଦେବା ବେଳେ ମତଦାନ କେନ୍ଦ୍ର ଆଗରେ ଦେଖିଥିବେ ନହେଲେ କରୋନା କାଳରେ ଟିକାଦାନ କେନ୍ଦ୍ର ଆଗରେ ଦେଖିଥିବେ । ସେଠି କିନ୍ତୁ ଏମିତି ଚେୟାର ପଡିନଥାଏ । କିନ୍ତୁ ଏଠି ଏ ଲାଇନ୍ ଲାଗିଛି ଏକ ଗ୍ରୋସରୀ ଦୋକାନ ଆଗରେ ।

କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଆମକୁ ଅନେକ କଟକଣାର ସାମ୍ନା କରିବାକୁ ପଡୁଛି । ସାଧାରଣତଃ ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଅନେକ ଗ୍ରୋସରୀ ଦୋକାନ, ପରିବା ଦୋକାନ ଏବଂ ମାଛ, ମାଂସ ଦୋକାନ ସାମ୍ନାରେ ଆପଣ ଦେଖିଥିବେ ଲୋକମାନେ ଗହଳି କରି ସାମଗ୍ରୀ କିଣୁଛନ୍ତି । ଦୋକାନ ସାମ୍ନାରେ ସୋସିଆଲ୍ ଡିଷ୍ଟାନ୍ସ ରଖିବା ପାଇଁ ଯେଉଁ ଦାଗ ଦିଆଯାଇଥାଏ, ତାର ମଧ୍ୟ ପାଳନ କରାଯାଉନାହିଁ । ଆଉ ଏହାରି ଭିତରେ କର୍ଣ୍ଣାଟକରୁ ଆସିଥିବା ଏହି ଚିତ୍ର, ଆପଣଙ୍କ ମନ ଜିଣିନବ ।

ଗୋଟିଏ ପଟେ କରୋନା ସହ ଲଢେଇ, ଏବଂ ଅନ୍ୟପଟେ ଟାଣ ଖରା । ଆଉ ଏପରି ସଙ୍କଟ ସମୟରେ ଲୋକଙ୍କ ସୁୁରକ୍ଷା ପାଇଁ କିଛି ଏପରି ଉପାୟ ଆପଣେଇଛନ୍ତି କର୍ଣ୍ଣାଟକର ଜଣେ ଦୋକାନୀ । ଦୋକାନ ଆଗରେ ଯେମିତି ଗହଳି ନହେବ ଏବଂ ଗ୍ରାହକମାନେ ମଧ୍ୟ ଯେମିତି ଛିଡା ହୋଇ ନରହିବେ, ସେଥିପାଇଁ ଦୋକାନ ଆଗରେ ଏମିତି ଲମ୍ବାଧାଡିରେ ଚେୟାର ପକାଇଛନ୍ତି । ଆଉ ଲୋକମାନେ ମଧ୍ୟ ଧୈର୍ଯ୍ୟର ସହ ଧାଡିରେ ବସିରହି କୋଭିଡ ନିୟମକୁ ପାଳନ କରି ସାମଗ୍ରୀ କିଣୁଛନ୍ତି । ଆଉ ଦୋକାନୀଙ୍କର ଏଭଳି ଉଦ୍ୟମକୁ ସମସ୍ତେ ବେଶ ପ୍ରଂଶସା ବି କରୁଛନ୍ତି ।