କନକ ବ୍ୟୁରୋ: ଭାପୁର, ରାଇଘର, ନର୍ଲା, କୁକୁଡାଖଣ୍ଡି, ଖଲ୍ଲିକୋଟ, କବିସୂର୍ଯ୍ୟନଗର। ଏହି ୬ ପଞ୍ଚାୟତ ସମିତିରେ ହେବାକୁ ଯାଉଛି ରାଜନୈତିକ ଦଳଙ୍କ ଏସିଡ୍ ଟେଷ୍ଟ। ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହା ସବୁ ରାଜନୈତିକ ଉଷ୍ଣତାକୁ ବଢ଼ାଇ ଦେଇଛି। ଏହି ୬ଟି ବ୍ଲକ ନିର୍ବାଚନ ପୂର୍ବରୁ ବିଜେଡି ଅକ୍ତିଆରରେ ରହିଥିଲା। କାରଣ ବିଜେଡି ସମର୍ଥିତ ପ୍ରାର୍ଥୀ ଏହି ୬ ପଞ୍ଚାୟତ ସମିତିର ଅଧ୍ୟକ୍ଷ ବନିଥିଲେ। କିନ୍ତୁ ୨୦୨୪ ନିର୍ବାଚନ ଫଳାଫଳ ପରେ ଏହି ପଞ୍ଚାୟତ ସମିତିର ଅଙ୍କ ବିଗିଡିଯାଇଛି। ନର୍ଲା ବ୍ୟତୀତ ଅନ୍ୟ ୫ ପଞ୍ଚାୟତ ସମିତି, ଯେଉଁ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଛି ସେଠାରେ ବିଜେପି ବିଧାୟକ ବିଜୟୀ ହୋଇଛନ୍ତି।

ଭାପୁର, ଖଣ୍ଡପଡା ଅଧୀନରେ ଆସୁଥିବା ବେଳେ ଏଠାରେ ବିଜୟୀ ହୋଇଛନ୍ତି ବିଜେପିର ଦୁଷ୍ମନ୍ତ ସ୍ୱାଇଁ । ସେହିପରି ରାଇଘର, ଉମରକୋଟ ଅଧୀନରେ ଆସୁଥିବା ବେଳେ ଏଠାରେ ବିଜେପିର ନିତ୍ୟାନନ୍ଦ ଗଣ୍ଡ ବିଜୟୀ ହୋଇଛନ୍ତି । ଅନ୍ୟପଟେ କୁକୁଡାଖଣ୍ଡି, ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ବେଳେ ବିଜେପିର ସିଦ୍ଧାନ୍ତ ମହାପାତ୍ର ବିଧାୟକ ଜିତିଛନ୍ତି । ତା ସହ ଖଲ୍ଲିକୋଟ, କବିସୂର୍ଯ୍ୟନଗରରେ ବିଜେପି ବିଧାୟକ ଭାବେ ପୂର୍ଣ୍ଣ ସେଠୀ ଓ ପ୍ରତାପ ନାୟକ ନିର୍ବାଚିତ ହୋଇଛନ୍ତି । ତେଣୁ ବିଜେଡି ଦଖଲରେ ଥିବା ଏହି ପଞ୍ଚାୟତ ସମିତିକୁ ହାତେଇବା ଏବେ ବିଜେପି ବିଧାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି।

ଖାଲି ସେତିକି ନୁହେଁ ନୀଳଗିରି, ନିମାପଡା, ଧର୍ମଶାଳା,ରସୁଲପୁର ବ୍ଲକରେ ଖୁବଶୀଘ୍ର ଅନାସ୍ଥା ଆସିବାକୁ ଯାଉଛି। ଯାହା ବିଜେଡି ପାଇଁ ଏସିଡ ଟେଷ୍ଟ ହେବାକୁ ଯାଉଛି। କାରଣ ଏହି ସବୁ ଆସନ ଦଖଲ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେପି ବିଧାୟକ। ଅନ୍ୟପଟେ ବିଜେଡ଼ି ନିଜର ଦୁର୍ଗକୁ ସୁରକ୍ଷା ଦେବାକୁ ଆପଣାଉଛି ସିକ୍ରେଟ ରଣନୀତି। ସୂଚନାଯୋଗ୍ୟ ଯେ, ଆଗକୁ ପଞ୍ଚାୟତ ନିର୍ବାଚନ, ହାତରେ କମ ସମୟ। ତେଣୁ ପଞ୍ଚାୟତସ୍ତରରେ ନିଜର ସାଙ୍ଗଠନିକ ପତିଆରା ଜାହିର କରିବାକୁ ଏବେଠୁ ଉଦ୍ୟମ କଲେଣି ୨ ପ୍ରମୁଖ ଦଳ । କିନ୍ତୁ ଆଗାମୀ ଅନାସ୍ଥା ସେମାନଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇପାରେ।