ରାଜଧାନୀରେ ସୁନା ପିନ୍ଧୁଥିଲେ ସାବଧାନ! କଳା ପଲସରରେ ଆସୁଛନ୍ତି, ଆଖି ପିଛୁଳାକେ ବେକରୁ ଚେନ୍ ଝାମ୍ପି ଚାଲି ଯାଉଛନ୍ତି । ଟେର ପାଉନି ପୋଲିସ । 

197

କନକ ବ୍ୟୁରୋ : କଳା ପଲସରରେ ଆସିଲେ, ଚେନ୍ ଝାମ୍ପିନେଲେ । ସ୍ମାର୍ଟସିଟିରେ ସୁନା ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ । ଦିନ ଦ୍ୱିପ୍ରହରରେ ବେକରୁ ସୁନା ଝାମ୍ପି ନେଉଛନ୍ତି ଦୃବୁର୍ତ୍ତ । ରାଜଧାନୀ ଭୁବନେଶ୍ୱରରୁ ଆଜି ଏଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି । ଆପୋଲ ହସ୍ପିଟାଲରୁ ଆଚାର୍ଯ୍ୟ ବିହାରକୁ ଆସୁଥିବା ବେଳେ କଳା ପଲସରରେ ଆସି ଯୁବତୀଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୃବୁର୍ତ୍ତ ।  ଏନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଝାନଭିନ୍ ଆରମ୍ଭ କରିଛି ।  ଆଉ ଏହାସହ ରାଜଧାନୀରେ ପୁଣିଥରେ ଆରମ୍ଭ ହୋଇଛି କଳା ପଲସରର ଆତଙ୍କ । କେବଳ ଏତିକି ନୁହେଁ ଆଜି ଗୋଟିଏ ଦିନରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଆସିଛି ସିରିଜ ଲୁଟର ଘଟଣା । ନଖରାରେ ୪ଟି ଘର ଭାଙ୍ଗି ଟଙ୍କା ଓ ସୁନା ଗହଣା ଲୁଟ ହୋଇଥିବା ବେଳେ ବାଲିପାଟଣାରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଛନ୍ତି ଦୃବୁର୍ତ୍ତ ।

କରୋନା କାଳରେ କ୍ରାଇମ କ୍ୟାପିଟାଲ ପାଲଟିଗଲାଣି ରାଜଧାନୀ । ପ୍ରତିଦିନ ରାଜଧାନୀରେ କିଏ ଲୁଟର ଶିକାର ହେଉଛି ତ ପୁଣି କେଉଁଠି ହତ୍ୟାର ଖବର ସାମ୍ନାକୁ ଆସୁଛି । ତାହା ବି ପୁଣି ସୂର୍ଯ୍ୟ ଆଲୋକରେ, ସମସ୍ତଙ୍କ ସାମ୍ନାରେ । ଗତ ଦୁଇ ଦିନ ପୂର୍ବେ ରାଜଧାନୀର ରାଜରାସ୍ତାରେ ଗଡିଥିଲା ମୁଣ୍ଡ । ତାହା ବି ପୁଣି ସ୍ପଷ୍ଟ ଦିବାଲୋକରେ । ସାମନ୍ତରାପୁରରେ ଜଣେ ମିଠା ଦୋକାନୀଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ ଦୃବୁର୍ତ୍ତ । ଆଉ ରାସ୍ତା ଉପରେ ଛଟପଟ ହୋଇ ଚାଲି ଯାଇଥିଲା ମିଠା ଦୋକାନୀଙ୍କ ପ୍ରାଣ  । ସିସିଟିଭିରେ ପୂରା ଘଟଣା କଏଦ ହୋଇଥିଲା । ଆଉ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ କିନ୍ତୁ ହାଲକାରେ ନେଇଛି ପୋଲିସ । ପୋଲିସ କମିଶନର କହିଛନ୍ତି, ବ୍ୟକ୍ତିଗତ କାରଣରୁ ହୋଇଥିବା ହତ୍ୟାକାଣ୍ଡକୁ ଆଇନ ଶୃଙ୍ଖଳା ପରିସ୍ଥିତି ସହ ଯୋଡିବା ଠିକ୍ ନୁହେଁ ।

ଗୋଟିଏ ପଟେ ପୋଲିସ କରୋନା ନିୟମ ଭାଙ୍ଗୁଥିବା ସାଧାରଣ ଲୋକଙ୍କ ଠାରୁ ଜରିମାନା ଆଦାୟ କରିବାରେ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ରାଜଧାନୀରେ ବଢିଚାଲିଛି ହତ୍ୟା, ଲୁଟ ଭଳି ଘଟଣା । ରାସ୍ତା ଉପରେ ଗାଡି ଚଳାଇବାକୁ ଏବେ ଲୋକଙ୍କୁ ଭୟ ଲାଗୁଛି, ଏକୁଟିଆ  ରାତିରେ ବାହାରିବାକୁ ହେଲେ ହଜାର ଥର ଭାବିବାକୁ ପଡୁଛି । କାରଣ ଘରୁ ବାହାରିବା ପରେ କାହା ସହ ଯେ କଣ ଘଟିବ ତାହା କହିବା ମୁସ୍କିଲ । ଏତେ ସବୁ ପରେ ମଧ୍ୟ ପୋଲିସ ବିଭାଗ ଯେପରି ସ୍ଥାଣୁ ପାଲଟିଯାଇଛି । ରାତି ୧୧ ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଥିବା ବେଳେ କାଁ ଭାଁ କେଉଁଠି ଦେଖିବାକୁ ମିଳୁଛି ପୋଲିସର ପାଟ୍ରୋଲିଂ । ଯେଉଁଠି ଦିନ ଦ୍ୱିପ୍ରହରରେ ରାଜଧାନୀବାସୀ ଲୁଟର ଶିକାର ହେଉଛନ୍ତି ସେତେବେଳେ ରାତିରେ ଲୋକଙ୍କୁ କିଏ ବା ଦେବ ସୁରକ୍ଷା? ଭୁବନେଶ୍ୱରର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ତେଣୁ ପ୍ରଶ୍ନ ଉଠୁଛି ରାଜଧାନୀରେ ଆମେ ସୁରକ୍ଷିତ ତ?