କନକ ବ୍ୟୁରୋ : ଆଇପିଏଲ ଭିତରେ ବଡ ଖୁଲାସା କରିଛନ୍ତି ରାଜସ୍ଥାନ ରୟାଲ୍ସର ବୋଲର ୟୁଜବେନ୍ଦ୍ର ଚହଲ । ୯ ବର୍ଷ ତଳର ପୁରୁଣା କଥା ମନେ ପକାଇବା ସହ ସେଦିନର ଭୟଙ୍କର ଅନୁଭୂତି ବଖାଣିଛନ୍ତି । ଚହଲ କହିଛନ୍ତି, ୯ ବର୍ଷ ପୂର୍ବେ ମୁଁ ଅଳ୍ପକେ ବଞ୍ଚି ଯାଇଥିଲି । କାରଣ ୯ ବର୍ଷ ପୂର୍ବେ ଆଇପିଏଲର ଏକ ମ୍ୟାଚ୍ ପରେ ଜଣେ ଖେଳାଳୀ ମୋତେ ନିଶାଗ୍ରସ୍ତ ଅବସ୍ଥାରେ ୧୫ ତାଲା ଉପରୁ ବାଲକୋନିରୁ ଝୁଲାଇ ରଖିଥିଲେ । ସେତେବେଳେ ଯଦି ଭୁଲରେ ବି ମୁଁ ଖସି ପଡିଥାନ୍ତି ତେବେ ମୋ ଜୀବନ ଚାଲି ଯାଇଥାନ୍ତା ।

Advertisment

ଚହଲ କହିଛନ୍ତି, ମୋର ଏହି କାହାଣୀ ବହୁତ କମ ଲୋକଙ୍କୁ ଜଣା । ଏପରିକି ମୁଁ ଏହା ବାବଦରେ ଆଜି ପର୍ଯ୍ୟନ୍ତ କାହାକୁ କହିନାହିଁ । ୨୦୧୩ରେ ମୁଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲି । ସେତେବେଳେ ବାଙ୍ଗାଲୋର ସହ ଆମର ମ୍ୟାଚ୍ ଥିଲା । ମ୍ୟାଚ୍ ପରେ ଏକ ଗେଟ ଟୁଗେଦର ଥିଲା । ଆଉ ଏହି ପାର୍ଟିରେ ଜଣେ ଖେଳାଳୀ ପୂରା ନିଶାସକ୍ତ ଅବସ୍ଥାରେ ଥିଲେ । ତାଙ୍କ ନାଁ ନେବା ଠିକ୍ ହେବ ନାହିଁ । କିନ୍ତୁ ଉକ୍ତ ଖେଳାଳୀ ବେଶ କିଛି ସମୟ ମୋତେ ଚାହିଁବା ପରେ ପାଖକୁ ଡାକିଲେ । ଆଉ ପାଖକୁ ଯିବା କ୍ଷଣି ସେ ମୋତେ ଉଠାଇ ବାଲକୋନି ଉପରେ ଝୁଲାଇ ଦେଲେ । ଭାଗ୍ୟବଶତଃ ମୁଁ ତାଙ୍କ ମୁଣ୍ଡକୁ ଜାବୁଡି ଧରିଥିଲି । ଯଦି ସେତେବେଳେ ମୋ ହାତ ଖସି ଯାଇଥାନ୍ତା ତେବେ ୧୫ ତାଲା ଉପରୁ ତଳକୁ ଖସି ପଡିଥାନ୍ତି । ଆଉ ଜୀବନ ବଞ୍ଚାଇ ଫେରିବା ସହଜ ହୋଇନଥାନ୍ତା ।

ଏହାସହ ଚହଲ କହିଛନ୍ତି, ଯେତେବେଳେ ଏହି ଘଟଣା ହେଲା କିଛି ଲୋକ ଏହା ଦେଖିବା କ୍ଷଣି ତୁରନ୍ତ ମୋତେ ଉପରକୁ ଟେକି ଆଣିଥିଲେ । ସେତେବେଳେ ମୁଁ ବେହୋସ ଅବସ୍ଥାକୁ ଚାଲି ଆସିଥିଲି । ମୋତେ ପାଣି ପିଆଇବା ପରେ ମୁଁ ହୋସକୁ ଫେରିଥିଲେ । ସେବେଠାରୁ ଗୋଟିଏ କଥା ଶିଖିଲି, ବାହାରକୁ ଯେତେବେଳେ ଯାଉଁଛନ୍ତି ସେତେବେଳେ କେତେ ଦାୟିତ୍ୱବାନ ହେବା ଆବଶ୍ୟକ । ଏହା ମୋର ଜୀବନର ଏକ ଖରାପ ଅନୁଭୂତି, ଯେଉଁଠୁ ମୁଁ ଅଳ୍ପକେ ଜୀବନ ନେଇ ଫେରିଥିଲି । ସାଥୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସହ ବାର୍ତ୍ତାଳାପ ବେଳେ ଏହି ଘଟଣା ବାବଦରେ ପ୍ରଥମଥର ପାଇଁ ମୁହଁ ଖୋଲିଥିଲେ ଚହଲ । ଯାହାର ଭିଡ଼ିଓ ଟ୍ୱିଟରରେ ରାଜସ୍ଥାନ ରୟାଲ୍ସ ସେୟାର କରିଛି ।

ଚଳିତ ବର୍ଷ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି ୟୁଜବେନ୍ଦ୍ର ଚହଲ । ଏହାପୂର୍ବରୁ ଗତ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିଲେ ଚହଲ । ବାଙ୍ଗାଲୋର ସହ ଦୀର୍ଘବର୍ଷ ଖେଳିଥିଲେ ମଧ୍ୟ ଦଳ ଏଥର ତାଙ୍କୁ ରିଟେନ କରିନଥିଲା । ଆଉ ମହାନିଲାମୀରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୬.୫୦ କୋଟି ଟଙ୍କାରେ କିଣିଥିଲା । ବାଙ୍ଗାଲୋର ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଖେଳିଛନ୍ତି ଚହଲ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ଆଇପିଏଲ ପଦାର୍ପଣ କରିଥିଲେ ଚହଲ । ଆଉ ନିଜର ଦମଦାର ପ୍ରଦର୍ଶନ ବଳରେ ଏବେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ପାଲଟିଛନ୍ତି ଚହଲ ।