୧୬ ତାରିଖ ଯାଏଁ ବନ୍ଦ ରହିବ ବିଜୁଳ କାଟ୍ । ବକେୟା ବିଲ ପୈଠ କରିବାକୁ ଆଉ ୧୦ ଦିନର ମହଲତ ଦେଲା ସେସୁ

351

କନକ ବ୍ୟୁରୋ: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ ଆଶ୍ୱସ୍ତି । ବକେୟା ବିଲ ଭରିବାକୁ ଆଉ ୧୦ ଦିନର ମହଲତ ଦେଲା ସେସୁ । ଆଉ ଏହି ୧୦ ଦିନ ଭିତରେ ସମସ୍ତ ବକେୟା ବିଦ୍ୟୁତ ବିଲ ପଇଠ କରିବାକୁ ଅନୁରୋଧ କରିଛନ୍ତି ସେସୁର ସିଇଓ ଅରୁଣ ବୋଥ୍ରା ।

ତେବେ ପ୍ରେସମିଟ କରି ବୋଥ୍ରା କହିଛନ୍ତି ଏଯାଏଁ ୨୫ ହଜାର ୫୩୧ ଉପଭୋକ୍ତା ସମସ୍ତ ବକେୟା ବିଲ ପଇଠ କରିଛନ୍ତି । ୧ ଲକ୍ଷ ୬୯୪ ଉପଭୋକ୍ତା କିସ୍ତି ଆକାରରେ ବକେୟା ପଇଠ କରି ସାରିଛନ୍ତି । ଆଶା ଅଛି ସମସ୍ତ ଉପଭୋକ୍ତା ବକେୟା ପଇଠ କରିବେ ।

୩୫ ହଜାର ୨୭୭ଟି ବିବାଦୀୟ ଆବେଦନ ଆସିଛି । ଏହି ୧୦ ଦିନ ଭିତରେ ସେହି ସମସ୍ତ ସମସ୍ୟାର ସମାଧାନ ହେବ । ୭୨ କୋଟିରୁ ଅଧିକ ଟଙ୍କା ବକେୟା ବିଲ ବାବଦକୁ ଆଦାୟ ହୋଇଥିବା ବୋଥ୍ରା ସୂଚନା ଦେଇଛନ୍ତି । ତେବେ ମୋଟ ୨୧ ହଜାର ୩୩୯ ଜଣ ଉପଭୋକ୍ତାଙ୍କ ବିଦ୍ୟୁତ କାଟ କରାଯାଇଥିଲା । ୯ ହଜାର ୨୮୯ ଉପଭୋକ୍ତାଙ୍କ ପୁନଃ ବିଦ୍ୟୁତ ସଂଯୋଗ ଦିଆଯାଇଛି । ଅନଲାଇନରେ ୭କୋଟି ୩୬ ଲକ୍ଷ ଟଙ୍କା ଆଦାୟ ହୋଇଛି ବୋଲି ସେସୁ ସିଇଓ ସୂଚନା ଦେଇଛନ୍ତି ।

ସେପଟେ ଗତ କିଛି ଦିନ ହେଲା ବିଦ୍ୟୁତ ବିଲ ବାକି ରଖିଥିବା ଉପଭୋକ୍ତାଙ୍କ ଛାତିରେ ଛନକା ପଶାଇଥିଲା ସେସୁ । ବକେୟ ବିଲ ଦେଇ ନଥିବା ଉପଭୋକ୍ତାଙ୍କ ବିଜୁଳି କାଟି ଆକ୍ସନ ମୋଡକରୁ ଆସିଥିଲା ସେସୁ । ସବୁଦିନ ହଜାର ହଜାର ଲୋକଙ୍କ ଲାଇନ କାଟି ବିଜୁଳି ବିଲ ଆଦାୟ କରିଥିଲା ସେସୁ । ତେବେ ସେସୁର ମାରାଥନ ବିଜୁଳି କାଟ ପରେ ଲୋକେ ବକେୟା ବିଲ ଭରିଥିଲେ ବି ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେହିସବୁ ଦୃଷ୍ଟି କୋଣରୁ ସେସୁ ଆଉ ୧୦ ଦିନ ଅର୍ଥାତ ୧୬ ତାରିଖ ଯାଏଁ ସମୟ ଗଡାଇଛି ।