ଆକ୍ସନ ମୋଡରେ ସେସୁ: ପ୍ରଥମ ଦିନରେ ୧୫୪୫ ଉପଭୋକ୍ତାଙ୍କ ବିଜୁଳି କାଟିଲା । ବକେୟା ବାବଦକୁ ୫.୩୮ କୋଟି ଟଙ୍କା ଆଦାୟ କଲା

267

କନକ ବ୍ୟୁରୋ: ଆକ୍ସନ ମୋଡରେ ସେସୁ । ଯେଉଁଠି ବିଲ ବାକି ରହିଛି ସେଠି ବିଜୁଳି କାଟୁଛି ସେସୁ । ଆଜି ଦିନ ତମାମ ସାରା ରାଜ୍ୟରେ ବକେୟା ଉପଭୋକ୍ତାଙ୍କ ବିଜୁଳି କାଟି ଚେତାବନୀ ଦେଇଛି ସେସୁ । ତେବେ ପ୍ରଥମ ଦିନରେ ମୋଟ ୧୫୪୫ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଆଉ ବକେୟା ବିଲ୍ ବାବଦକୁ ମୋଟ ୫.୩୮ କୋଟି ଟଙ୍କା ଆଦାୟ କରିଛି ସେସୁ ।

ସେପଟେ ବକେୟା ବିଜୁଳି ବାବଦକୁ ପୁରୀ ଜିଲ୍ଲାରେ ସର୍ବାଧିକ ୮୩.୫୪ ଲକ୍ଷ ଟଙ୍କା ଆଦାୟ ହୋଇଛି । ବାଲୁଗାଁରୁ ୩୯.୧୭, ଢେଙ୍କାନାଳରୁ ୩୩ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ପାରାଦୀପରୁ ସର୍ବନିମ୍ନ ୭.୨୪ ଲକ୍ଷ ଟଙ୍କା ଆଦାୟ ହୋଇଛି ।
ତେବେ ନୟାଗଡରେ ୧୦୦ ଜଣ, ତାଳଚେରରେ ୧୬୨, କଟକ ସିଇଡିରେ ୨୧୬ ଭଳି ରାଜ୍ୟର ଅନେକ ସ୍ଥାନରେ ମୋଟ ୧୫୪୫ ଜଣଙ୍କ ବିଦ୍ୟୁତ ସଂଯୋଗକୁ କାଟି ଦେଇଛି ସେସୁ ।

ତେବେ ଦୀର୍ଘ ଦିନ ଧରି ବିଦ୍ୟୁତ ବିଲ ବାକି ରଖିବାର ପରିଣାମ ଉପଭୋକ୍ତାଙ୍କୁ ଭୋଗିବାକୁ ପଡିଛି । ବିଭିନ୍ନ ଜିଲ୍ଳାରେ ବିଜୁଳି କାଟ କରିଛି ସେସୁ । ବିଜୁଳି କାଟ ବେଳେ ଖୋର୍ଦ୍ଧା ଗୁରୁଜଙ୍ଗରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ଲାଇନ କାଟିବା ପାଇଁଁ ଯାଇଥିବା ଅଧିକାରୀଙ୍କ ଗାଡି ଅଟକାଇଥିଲେ ଗାଁଲୋକେ । ଏଠାରେ ୫ ହଜାର ୧୦୦ ଗ୍ରାହକଙ୍କ ଉପରେ ବାକି ରହିଛି ୮୦ କୋଟିରୁ ଅଧିକ ଟଙ୍କା ବିଲ ।

କଟକରେ ବିଲ ପୈଠ କରିନଥିବା ବାଣିଜ୍ୟିକ ଅନୁଷ୍ଠାନ ନିକଟରେ ପହଂଚିଥିଲେ ବିଦ୍ୟୁତ ବିଭାଗ କର୍ମଚାରୀ । ବିଦ୍ୟୁତ ବିଲ ବକେୟା ରଖିଥିବା ୪୭ ବାଣିଜ୍ୟିକ ଉପଭୋକ୍ତାଙ୍କର ବିଦ୍ୟୁତ କାଟ ହୋଇଛି । କେନ୍ଦ୍ରାପଡାରେ ବି ଦେଖିବାକୁ ମିଳିଛି ସମାନ ଘଟଣା । ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ବକେୟା ବିଦ୍ୟୁତ ବିଲ ପଇଠ କରିନଥିଲେ ସେମାନଙ୍କ ବିଦ୍ୟୁତ କାଟ କରିଛି ସେସୁ ।

ସେହିଭଳି ପୁରୀ ଜିଲ୍ଲା ନିମାପଡ଼ା ବିଦ୍ୟୁତ ବିଭାଗ ପକ୍ଷରୁ ବକେୟା ବିଦ୍ୟୁତ ବିଲ ଆଦାୟ ଏବଂ ବିଦ୍ୟୁତ କାଟ ହୋଇଛି । ନିମାପଡ଼ା ସ୍ଥିତ ଡେଲ୍ଟା ଛକରେ ଆଜି ଦିନ ୧୦ଟାରୁ ବିଦ୍ୟୁତ କର୍ମଚାରୀମାନେ ପହଂଚି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରୁ ବକେୟା ଦେୟ ଆଦାୟ କରିଛନ୍ତି । ଯେଉଁ ବାଣିଜ୍ୟ ସଂସ୍ଥା ବା ବ୍ୟବସାୟୀ ବିଲ୍ ବକେୟା ରଖିଛନ୍ତି ଏବଂ ନୋଟିସ୍ ସତ୍ୱେ ଦେୟ ପଇଠ କରିନାହାନ୍ତି ସେମାନଙ୍କ ବିଦ୍ୟୁତ୍ ସଂଯୋଗକୁ ବିଛିନ୍ନ କରାଯାଇଛି ।

ତେବେ ଦ୍ୱିତୀୟ ପର୍ଯ୍ୟାୟରେ ସେସୁ ଟାର୍ଗେଟରେ ସ୍ୱଚ୍ଛଳ ବର୍ଗର ଉପଭୋକ୍ତା, ଯେଉଁମାନେ ଅଧିକ ଟଙ୍କା ବକେୟା ରଖିଛନ୍ତି । ସେମାନଙ୍କ ଘରୁ ବିଚ୍ଛିନ୍ନ କରାଯିବ ବିଜୁଳି ସଂଯୋଗ ।