ପୂଜା ପୂର୍ବରୁ ପୂଜା କମିଟିକୁ ସେସୁର ସତର୍କବାଣୀ । ପୂଜା ପେଣ୍ଡାଲ ଜଗିବ ଡି-ହୁକିଂ ସ୍କାର୍ଡ, ହୁକ ପକାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।

888

କନକ ବ୍ୟୁରୋ : ହୁକ ପକାଇଲେ ବାନ୍ଧିବ ସେସୁ । ପାର୍ବଣ ଋତୁରେ ପୂଜା ପାଇଁ ସହରରୁ ପଲ୍ଲୀ ପୂଜା ପେଣ୍ଡାଲ ଗୁଡିକରେ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଏହାରି ମଧ୍ୟରେ ପୂଜା ପୂର୍ବରୁ ପୂଜା କମିଟି ଗୁଡିକୁ ସତର୍କ କରାଇଛି ସେସୁ । ପୂଜାରେ ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ ସଂଯୋଗ ନେଉଥିବା ପୂଜା କମିଟି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେସୁ ଦେଇଛି ଚେତାବନୀ । ଆଉ ଏଥିପାଇଁ ପୂଜା ପେଣ୍ଡାଲ ଗୁଡିକୁ ସେସୁ ପକ୍ଷରୁ ଗଠନ ହୋଇଥିବା ଡି-ହୁକିଂ ସ୍କାର୍ଡ ନଜରରେ ରଖିବେ ।

ଆଗକୁ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଏବଂ କାଳୀ ପୂଜା ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ସେସୁ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ବିଶେଷ କରି ପୂଜା ବଜାର ସମୟରେ ହୁକ ପକାଇ ବିଦ୍ୟୁତ ସଂଯୋଗ ନିଆଯାଉଥିବାରୁ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ରହିଥାଏ । ଆଉ ଅନେକ ଧନଜୀବନ କ୍ଷତି ହେବାର ମଧ୍ୟ ସମ୍ଭାବନା ରହିଥାଏ । ତେଣୁ ବିଭିନ୍ନ ପୂଜା ପେଣ୍ଡାଲ ଗୁଡିକରେ ଏଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ସେସୁ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏପଟେ ହୁକ ନପକାଇ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ପାଇଁ ସମସ୍ତ ପୂଜା ପେଣ୍ଡାଲ ଗୁଡିକୁ ଅନୁରୋଧ କରିଛି ସେସୁ । ଏବଂ ପୂଜା ପୂର୍ବରୁ ତୁରନ୍ତ ନିକଟସ୍ଥ ବିଦ୍ୟୁତ ଅଫିସରୁ ଅସ୍ଥାୟୀ ସଂଯୋଗ ନେବା ପାଇଁ ବିଜ୍ଞପ୍ତି ଜାରି କରିଛି ସେସୁ । ତେବେ ଯଦି ପୂଜା ସମୟରେ କୌଣସି ପୂଜା କମିଟି ସେସୁର ଏହି ନିୟମକୁ ଅବମାନନା କରି ହୁକ ପକାନ୍ତି, ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇଛି ସେସୁ ।