ସାର୍ଟିଫିକେଟକୁ ନେଇ କିଏ କହୁଛି ସତ? ସାଂସଦ ନା କଂଗ୍ରେସ, ଉଠିଲା ପ୍ରଶ୍ନ ।

524

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଯୁକ୍ତ ୩ କେଉଁଠୁ ପାସ କରିଛନ୍ତି ଏବେ ତାକୁ ନେଇ ଜୋର ଧରିଛି ବିବାଦ । ସାଂସଦ ମିଥ୍ୟା ସତ୍ୟପାଠ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିବା ପରେ ସାଂସଦ କହିଥିଲେ ଏପରି ଅଭିଯୋଗ ମିଛ ଏବଂ ଭିତିହୀନ । ଆଜି କଂଗ୍ରେସ କହିଛି, ସାଂସଦ କାହିଁକି ତଥ୍ୟ, ପ୍ରମାଣ ଏବଂ ଦସ୍ତାବିଜ ସହ ଗଣମାଧ୍ୟମ ଆଗକୁ ଆସୁନାହାନ୍ତି ।

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କେଉଁଠୁ ପାସ କରିଛନ୍ତି ଯୁକ୍ତ ୩ । ଏବେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି । କଂଗ୍ରେସର ଅଭିଯୋଗ , ୨୦୧୪ ରାଜ୍ୟସଭା ନିର୍ବାଚନ ସମୟରେ ମିରଟର ସୋଭିଏତ ୟୁନିଭର୍ସିଟି ଅଫ ଟେକ୍ନୋଲଜିରୁ ଯୁକ୍ତ ୩ ପାସ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଅନୁଭବ । କିନ୍ତୁ ଆରଟିଆଇ ତଥ୍ୟ କହୁଛି, ଅନୁଭବ ଏବେ ବି କଟକ କନ୍ଦରପୁର କଲେଜର ଯୁକ୍ତ ୩ ଛାତ୍ର । ତେଣୁ ବିନା ମାଇଗ୍ରେସନ ସାର୍ଟିଫିକେଟରେ ଅନୁଭବ କିପରି ଅନ୍ୟ ବିଶ୍ୱ ବିଦ୍ୟାଳୟରେ ପାଠ ପଢିଲେ ଏବେ ତାକୁ ନେଇ ଉଠିଛି ପ୍ରଶ୍ନ ।

କଂଗ୍ରେସର ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଥିଲେ ସାଂସଦ । କହିଥିଲେ ଏପରି ଅଭିଯୋଗ ମିଛ ଏବଂ ଭିତିହୀନ । ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କ ବିରୋଧରେ ଏପରି କରାଯାଇଛି । ଏହାର ଜବାବରେ ଆଜି କଂଗ୍ରେସ କହିଛି, ଆଶା ଥିଲା ଅନୁଭବ ତଥ୍ୟ ପ୍ରମାଣ ଓ ଦସ୍ତାବିଜ ସହ ଗଣମାଧ୍ୟମକୁ ସାମନା କରିବେ । କିନ୍ତୁ ସେମିତି କିଛି ହେଲା ନାହିଁ । ତେଣୁ ଏବେ ରାଜ୍ୟ ସରକାରଙ୍କ କୋର୍ଟରେ ବଲ । ଅପେକ୍ଷା ରାଜ୍ୟ ସରକାର ତାଙ୍କ ବିରୋଧରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି । ଏସବୁ ଭିତରେ ପ୍ରକୃତରେ ସାଂସଦ ଅନୁଭବ ମହାନ୍ତି ଯୁକ୍ତ ୩ କେଉଁଠାରୁ ପାସ କରିଛନ୍ତି ସେ ନେଇ ବିବାଦ ତେଜିବାରେ ଲାଗିଛି ।