ସ୍ନାନବେଦୀରେ ଶ୍ରୀଜିଉଙ୍କ ମହାସ୍ନାନ । ସ୍ନାନ ପରେ ଗଜ ବେଶ ଧାରଣ କରିବେ ମହାପ୍ରଭୁ

191

କନକ ବ୍ୟୁରୋ : ସ୍ନାନବେଦୀରେ ଶ୍ରୀଜିଉଙ୍କ ମହାସ୍ନାନ । ସୁନା କୂଅର ସୁବାସିତ ଜଳରେ ସ୍ନାନ କରାଯାଉଛି । ୧୦୮ କଳସ ଜଳରେ ଶ୍ରୀଜିଉ ସ୍ନାନ କରିବେ । ତମ୍ବା, ସୁନା ଓ ରୁପା ଗରାରେ ଜଳ ଆସି ଲାଗିଥାଏ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଇଛି । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଇ ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଉଛି ।

ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ଜଳ ଲାଗି କରାଯାଉଛି । ଏହାକୁ “ପ୍ରତ୍ୟେକ୍ଷ ଅବକାଶ” କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ ।ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ ।

ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ନିହିତ । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା ।

ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି ।