ତୃତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତି ଚୁଡ଼ାନ୍ତ । ସିଇଓଙ୍କ ସୂଚନା, ୩ ହଜାର ୧୮୬ଟି ସମ୍ବେଦନଶୀଳ ବୁଥ୍ ଉପରେ ରହିଛି ତୀକ୍ଷ୍ମ ନଜର ।

258

କନକ ବ୍ୟୁରୋ: ଆସନ୍ତାକାଲି ହେବାକୁଥିବା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ସିଇଓ ସୁରେନ୍ଦ୍ର କୁମାରଙ୍କ ସୂଚନା ମୁତାବକ, ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ୧୦ ହଜାର ୪୬୪ଟି ପୋଲିଂ ବୁଥରେ ଭୋଟ୍ ଗ୍ରହଣ କରାଯିବ । ତେବେ ଏହି ବୁଥ ମଧ୍ୟରୁ ୩ ହଜାର ୧୮୬ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା କହିଛନ୍ତି ସିଇଓ ।

ସେହିପରି ୪୭ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଭୋଟର, ୪୪ଲକ୍ଷ ୫୬ହଜାର ୭୨୯ ଜଣ ମହିଳା ଭୋଟର ଓ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଅନ୍ୟପଟେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା, ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସହ ଏହା ଅଧୀନସ୍ଥ ୪୨ ଗୋଟି ବିଧାନସଭା ଆସନରେ ମୋଟ୍ ୫୯ ହଜାର ୫୦୦ ପୋଲିଂ ଅଧିକାରୀ ନିୟୋଜିତ ଅଛନ୍ତି । ୬୦୦ ବୁଥରେ ସିଏଏଫ୍ ନିୟୋଜିତ ରହିଛନ୍ତି । ୭୭୯ଟି ବୁଥରେ ସିସିଟିଭି, ୩୭୨ଟି ବୁଥରେ ଭିଡ଼ିଓଗ୍ରାଫି ସୁବିଧା ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ମତଦାନରେ ୧ ଲକ୍ଷ ୫୮ ହଜାର ୪୯୫ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେମାନେ କିଭଳି ସୁରକ୍ଷିତ ଏବଂ ଉପଯୁକ୍ତ ବ୍ୟବସ୍ଥାରେ ମତଦାନ ଦେଇପାରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୯ ହଜାର ୫୭୬ ବୁଥରେ ହ୍ୱିଲ୍ ଚେୟାର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।