ମେ’ ୧୩ରେ ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ପଡିବ ଭୋଟ, ୬୨ ଲକ୍ଷ ୮୪ ହଜାର ଭୋଟର ବାଛିବେ ନେତା । ରାଜ୍ୟ ନିର୍ବାଚନ ଅଧିକାରୀ କହିଲେ, ୭୨୮୯ଟି ପୋଲିଂ ଷ୍ଟେସନରେ ହେବ ମତଦାନ ।

121

କନକ ବ୍ୟୁରୋ : ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୪ ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାଜ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଏବ ବାବଦରେ ବଡ ସୂଚନା ଦେଇଛନ୍ତି । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସହ ଏହା ଅଧିନରେ ଥିବା ୨୮ ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି । ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୫ ତାରିଖରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି । ସେହିଭଳି ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି ।

ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି, ନିର୍ବାଚନ ହେବାକୁ ଥିବା ୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ମୋଟ ୬୨୮୪୬୪୯ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସେହିଭଳି ୭୨୮୯ ପୋଲିଂ ଷ୍ଟେସନରେ ମତଦାନ ହେବାକୁ ଥିବା ବେେ ଏଯାଏଁ ଏହି ସଂସଦୀୟ କ୍ଷେତ୍ରରୁ ସି ଭିଜିଲରେ ୫୮୭ ଅଭିଯୋଗ ଆସିଛି । ଯେଉଁମଧ୍ୟରୁ ୫୮୨ଟି ଅଭିଯୋଗର ସମାଧାନ ହୋଇଛି । ପୋଷ୍ଟର ଓ ବ୍ୟାନରକୁ ନେଇ ଅଧିକ ଅଭିଯୋଗ ଆସୁଥିବା କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

ସେହିଭଳି ନିର୍ବାଚନ ଆଚରଣ ବିଧି ଲାଗିବା ପରଠାରୁ ଏବେ ପର୍ଯ୍ୟନ୍ତ ୧୧୮.୬୫ କୋଟି ମୂଲ୍ୟର ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଯେଉଁମଧ୍ୟରୁ ୨ କୋଟି ୭ ଲକ୍ଷ ନଗଦ ଟଙ୍କା, ୧୮ କୋଟି ୧୯ ଲକ୍ଷ ମୂଲ୍ୟର ମାଦକ ଦ୍ରବ୍ୟ, ୪୩.୬୯ କୋଟି ମୂଲ୍ୟର ଗଞ୍ଜେଇ ଓ ବ୍ରାଉନସୁଗାର, ୭.୧୭ କୋଟି ଟଙ୍କାର ସୁନା ଜବତ ହୋଇଛି । ସେହିଭଳି ଏହି ୪ ସଂସଦୀୟ କ୍ଷେତ୍ର ପାଇଁ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଯେଉଁମାନେ ପୂରା ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖିବେ । ଖାସକରି ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ଫୋକସ କରିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।