ପିପିଲି ନିର୍ବାଚନ ଉପରେ ପ୍ରଭାବ ପକାଇବନି ମହାରଥୀଙ୍କ ଗିରଫ ଘଟଣା । ସିଇଓ କହିଲେ, କାଲି ଯଥାରୀତିରେ ହେବ ମତଦାନ ।

405

କନକ ବ୍ୟୁରୋ : ପିପିଲି ବିଧାୟକ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଗିରଫ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଉ ଏହାରି ଭିତରେ ବଡ ବୟାନ ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବିଜେଡିର ଏହି ଟାଣୁଆ ନେତା ଗିରଫ ହେବା ପରେ ଚର୍ଚ୍ଚା ଆଲୋଚନା ଲାଗି ରହିଥିବା ବେଳେ, ଏହି ଘଟଣାର କୌଣସି ପ୍ରଭାବ ନିର୍ବାଚନ ଉପରେ ପଡିବନାହିଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଆସନ୍ତାକାଲି ପିପିଲିରେ ମତଦାନ ହେବାକୁ ଥିବା ବେଳେ ଯଥାରୀତି ଅନୁଯାୟୀ ନିର୍ବାଚନ ହେବ ବୋଲି ସିଇଓ କହିଛନ୍ତି ।

ସୂଚନା ମୁତାବକ, ଗତକାଲି ପିପିଲିରେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ମହାରଥୀଙ୍କୁ ଗିରଫ କରିଛି ପିପିଲି ପୋଲିସ୍ । ଗତକାଲି ପିପିଲିର ଏକ ଫାର୍ମହାଉସକୁ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ବାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଓ ବିଡିଓ ସର୍ଭେଲାନ୍ସ ଟିମ୍ ଚଢ଼ାଉ ପାଇଁ ଯିବାବେଳେ ଆକ୍ରମଣ ହୋଇଥିଲା । ଯାହାଫଳରେ ତିନି ଟିମର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଥିଲା ।