ଚଳିତ ଶତାବ୍ଦୀର ସବୁଠୁ ଅଧିକ ସମୟ ରହୁଥିବା ଚନ୍ଦ୍ରଗ୍ରହଣ ଜୁଲାଇ ମାସରେ ଦେଖିବାକୁ ମିଳିବ । ଏଭଳି ବିରଳ ମହାଜାଗତିକ ଗ୍ରହଣ ପ୍ରାୟ ୧ ଘଣ୍ଟା ୪୩ ମିନିଟ ଧରି ରହିବ । କିନ୍ତୁ ଏହା ପୃଥିବୀର ସବୁ ସ୍ଥାନକୁ ଦେଖା ଯିବନାହିଁ। ଜୁଲାଇ ୨୭ ତାରିଖ ଦିନ ଘଟିବାକୁ ଯାଉଥିବା ଏହି ଚନ୍ଦ୍ରଗ୍ରହଣ ଆଫ୍ରିକା, ମଧ୍ୟପ୍ରାଚ୍ୟ, ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଓ ପୂର୍ବ ଇଉରୋପକୁ ଦେଖାଯିବ।
ଏଥର ଚନ୍ଦ୍ର ଗ୍ରହଣ ଏତେ ଦୀର୍ଘ ସମୟ ବ୍ୟାପୀ ହେବାର କାରଣ ହେଉଛି ଚନ୍ଦ୍ର ପ୍ରାୟ ସିଧାସଳଖ ପୃଥିବୀ ଛାଇର ମଧ୍ୟ ଭାଗ ଦେଇ ଗତି କରିବ। ପୃଥିବୀର ମଧ୍ୟ ଭାଗର ଛାଇକୁ ‘ଉମ୍ବ୍ରା’ କୁହାଯାଏ। ଏଥିରେ ପୃଥିବୀ ଓ ଚନ୍ଦ୍ରର ଅବସ୍ଥିତି ମଧ୍ୟ ଗୋଟାଏ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ଏହି ଦିନ ପୃଥିବୀ ସୂର୍ୟ୍ୟ ଠାରୁ ଯଥା ସମ୍ଭବ ଦୂରରେ ରହିବ। ଫଳତଃ ପୃଥିବୀର ଛାଇ ବଢ଼ିଯିବ। ଚନ୍ଦ୍ର ମଧ୍ୟ ପୃଥିବୀ ଠାରୁ ଯଥା ସମ୍ଭବ ଦୂରରେ ରହୁଥିବାରୁ ଗ୍ରହଣ ସମୟ ଦୀର୍ଘ ହେବ।ବିଂଶ ଶତାବ୍ଦୀରେ, ୨୦୦୦ ମସିହା ଜୁଲାଇ ୧୬ ତାରିଖ ଦିନ ହୋଇଥିବା ଚନ୍ଦ୍ରଗ୍ରହଣ ଥିଲା ଦୀର୍ଘତମ। ଏହାର ସମୟ ସୀମା ଥିଲା ୧ ଘଣ୍ଟା ୪୭ ମିନିଟ।
Follow Us