ରାଜ୍ୟସଭାରେ ଏନସିଟି ବିଲକୁ ବିଜେଡିର ତୀବ୍ର ବିରୋଧ : ସାଂସଦଙ୍କ କକ୍ଷତ୍ୟାଗ

ବଡ ପ୍ରଶ୍ନ; ଓଡିଶା ରାଜନୀତି ପାଇଁ ହେବ କି ବଡ ସଙ୍କେତ, ବଦଳୁଛି କି ବିଜେଡି-ବିଜେପି ସମୀକରଣ

126

କନକ ବ୍ୟୁରୋ : ଦିଲ୍ଲୀ ସରକାର କୌଣସି ପ୍ରଶାସନିକ ନିଷ୍ପତି ନେବା ପୂର୍ବରୁୁ ଉପ ରାଜ୍ୟପାଳଙ୍କ ମତାମତ ଲୋଡିବା ବାଧ୍ୟତାମୂଳକ । ଏଭଳି ଏକ ବଡ଼ ପଦକ୍ଷେପ ନେବାକୁ ଯାଇ କେନ୍ଦ୍ର ସରକାର ଆଣିଥିବା ଏନସିଟି ବିଲକୁ ରାଜ୍ୟସଭାରେ ବିଜୁ ଜନତା ଦଳ କଡା ବିରୋଧ କରିଛି ।

କେବଳ ସେତିକି ନୁହେଁ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ ବି କରିଛନ୍ତି । କାଲି ବିଲ ନେଇ ଗୃହରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ବିଜେଡି ସମେତ ବିରୋଧୀ ଦଳ କଠୋର ଆଭିମୁଖ୍ୟ ଗ୍ରହଣ କରି କକ୍ଷତ୍ୟାଗ କରିଥିଲେ । ଦିଲ୍ଲୀ ସଂପର୍କିତ ଏକ ବିଲ୍ ଉପରେ ବିଜେଡିର ଏଭଳି ଆଭିମୁଖ୍ୟ ରାଜ୍ୟ ରାଜନୀତି ଦୃଷ୍ଟିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି । ଆଗକୁ ପିପିଲି ଉପନିର୍ବାଚନ ରହିଛି ଓ ରାଜ୍ୟରେ ପଂଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

ଏଭଳି ସମୟରେ ବିଜେଡିର ଏଭଳି ଆଭିମୁଖ୍ୟ କେଉଁଠି ନା କେଉଁଠି ସୂଚାଉଛି ଯେ ଆଗକୁ ବିଜେଡି- ବିଜେପି ରାଜନୈତିକ ସମୀକରଣ ବଦଳିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପ୍ରସଙ୍ଗରେ ବିଜେପି ନେତୃତ୍ୱଧୀନ ଏନଡିଏ ସରକାରକୁ ବିଜେଡି ସମର୍ଥନ ଦେଇଥିଲା । ଏହି ପରିପ୍ରେକ୍ଷୀରେ ବିଜେଡିର ଏହି ନିଷ୍ପତି ଆଗମୀ ଦିନରେ ଓଡିଶା ରାଜନୀତି ପାଇଁ ବଡ ସଙ୍କେତ ବୋଲି ଚର୍ଚ୍ଚା ହେଉଛି ।