କନକ ବ୍ୟୁରୋ : ଓଡିଶାରେ ବିଧାନ ପରିଷଦ ଗଠନକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ । ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରୀ ଉତର ରଖି ଯାହା କହିଛନ୍ତି ତାହା ନୂଆ ବିବାଦ ସୃଷ୍ଟି କରିଛି । ମନ୍ତ୍ରୀ କହିଛନ୍ତି ବିଧାନ ପରିଷଦ ପାଇଁ ଓଡିଶା ତରଫରୁ କୌଣସି ଔପଚାରିକ ପ୍ରସ୍ତାବ ଆସିନାହିଁ । ତେବେ ପ୍ରଶ୍ନ ଉଠୁଛି ୨୦୧୮ରୁ ବିଧାନସଭା ପରିଷଦ ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲେ ମଧ୍ୟ, ସତରେ କଣ ଏନେଇ କେନ୍ଦ୍ର ପାଖରେ କୌଣସି ଖବର ନାହିଁ । ନା ଏଥିରେ ଜାଣିଶୁଣି କେଁ ପୂରାଉଛି କେନ୍ଦ୍ର । ନା ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବାକୁ ବିଜେଡିର ଏହା ଏକ ଚାଲ ଥିଲା ?
୨୦୧୯ ସାଧାରଣ ନିର୍ବାଚନ ବେଳେ ଯେଉଁ ଆଶା ଦେଖାଇ ଅସନ୍ତୁଷ୍ଟ ନେତାଙ୍କୁ ବିଜେଡି ସନ୍ତୁଷ୍ଟ କରୁଥିଲା, ତା ହେଉଛି ବିଧାନ ପରିଷଦ ଆସନ । ହେଲେ ଏହାର ପ୍ରାୟ ୨ ବର୍ଷ ପରେ ଜଣାପଡୁଛି, କେନ୍ଦ୍ର ନିକଟକୁ ଏନେଇ କୌଣସି ସଂକଳ୍ପ ହିଁ ପହଞ୍ଚିନାହିଁ ।
କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଉତର ପୁଣି ନେତାଙ୍କ ବିଧାନ ପରିଷଦ ସ୍ୱପ୍ନକୁ ଝୁଲାଇ ଦେଇଛି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଲିଖିତ ପ୍ରଶ୍ନର ଉତର ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି
- ବିଧାନ ପରିଷଦ ପାଇଁ ଓଡିଶା ତରଫରୁ ଔପଚାରିକ ପ୍ରସ୍ତାବ ଆସିନାହିଁ
- ଏବେ ୬ଟି ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି
- ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତରପ୍ରଦେଶରେ ବିଧାନପରିଷଦ ଅଛି
- ଆସାମ, ରାଜସ୍ଥାନ, ପଶ୍ଚିମବଙ୍ଗ ବିଧାନ ପରିଷଦ ପାଇଁ ପ୍ରସ୍ତାବ ପାରିତ କରିଛନ୍ତି
କେନ୍ଦ୍ରମନ୍ତ୍ରୀଙ୍କ ଏହି ଉତର ଦୁଇଟି ବିବାଦୀୟ ଦିଗକୁ ସାମ୍ନାକୁ ଆଣିଛି । ରାଜ୍ୟର ସଂକଳ୍ପ ସଂକ୍ରାନ୍ତରେ କେନ୍ଦ୍ର ପାଖରେ ସତରେ ଖବର ନାହିଁ ନା ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିବା ସଂକଳ୍ପ ରାଜ୍ୟର କେବଳ ଏକ ନିର୍ବାଚନୀ ଧୂଆଁବାଣ ଥିଲା?
୭ ଜାନୁଆରୀ, ୨୦୧୫
ତତ୍କାଳୀନ ମନ୍ତ୍ରୀ ନୃସିଂହ ସାହୁଙ୍କ ନେତୃତ୍ୱରେ ବିଧାନ ପରିଷଦ ବାବଦରେ ଅନୁଧ୍ୟାନ କରିବାକୁ ଏକ କମିଟି ଗଠନ କରାଯାଇଥିଲା । ଯେଉଁ ଟିମ୍ ଅନ୍ୟରାଜ୍ୟକୁ ଗସ୍ତ କରି ସେଠାରେ ଗୃହର ପରିଚାଳନା ନେଇ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ ।
୨୪ ଅଗଷ୍ଟ, ୨୦୧୮
ରାଜ୍ୟ କ୍ୟାବିନେଟରେ ବିଧାନ ପରିଷଦ ସଂକ୍ରାନ୍ତୀୟ ସଂକଳ୍ପ ପାରିତ ହୋଇଥିଲା ।
୬ ସେପଟେମ୍ବର, ୨୦୧୮
ବିଧାନସଭାରେ ପାରିତ ହୋଇଥିଲା ବିଧାନ ପରିଷଦ ସଂକଳ୍ପ । ବିଜେପି ଓ କଂଗ୍ରେସ ସେହି ସମୟରେ ଏହାକୁ ବିରୋଧ କରିଥିଲେ । ଏହାପରେ ପ୍ରତି ସଂସଦ ଅଧିବେଶ ଆଗରୁ ବିଜେଡି ସାଂସଦ ବିଧାନ ପରିଷଦ କଥା ସଂସଦରେ ଉଠାଇବା ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଥିଲେ ।
ଏତେ ସବୁ ବୟାନବାଜି ଭିତରେ ଏବେ ଅସଲ କଥା ସାମ୍ନାକୁ ଆସିଛି । ରାଜ୍ୟରେ ବିଧାନ ପରିଷଦ ପାଇଁ ଯେତେ ପଦକ୍ଷେପ ଗ୍ରହଣ କରାଯାଇଥିଲା, ତାହା କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିନାହିଁ । ଏଥିପାଇଁ ଦାୟୀ କିଏ?
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରାଜ୍ୟରେ ବିଧାନ ପରିଷଦ ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ, କେତେ ସଦସ୍ୟ ରହିବେ, ପରିଷଦ କେଉଁଠି ଚାଲିବ ସେନେଇ ସମସ୍ତ ଦିଗ ଚୁଡାନ୍ତ ହୋଇଯାଇଥିଲା ।
- ମୋଟ ୪୯ ସଦସ୍ୟ ବିଧାନ ପରିଷଦରେ ରହିବେ
- ଆର୍ଥିକ ବର୍ଷରେ ୩୫ କୋଟିର ବୋଝ ପଡିବ
- ପୁରୁଣା ବିଧାନସଭା ବିଲଡିଂରେ ଏହା କାର୍ଯ୍ୟ କରିବ
- ୧୬ ସଦସ୍ୟ ବିଧାୟକଙ୍କ ଦ୍ୱାରା ନିର୍ବାଚିତ ହେବେ
- ଜିଲ୍ଲା ପରିଷଦ, ପଂଚାୟତ ସମିତି, କାଉନସିଲର ସମାନ ସଂଖ୍ୟକ ସଦସ୍ୟ ବାଛିବେ
- ସଦସ୍ୟ ଭାବେ ନିର୍ବାଚିତ ହେବାକୁ ସର୍ବନିମ୍ନ ବୟସ ୩୦ ରହିବ
ବିଧାନ ପରିଷଦ ପାଇଁ ପ୍ରକୃତରେ ରାଜ୍ୟ ସରକାର ଭୁଆଁ ବୁଲାଉଥିଲେ ନା କେନ୍ଦ୍ର କିଛି କେଁ ପରାଇଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବା ଦରକାର ।