କନକ ବ୍ୟୁରୋ : ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ହ୍ୱାଟସଆପକୁ ଚିଠି ଲେଖି ପ୍ରସ୍ତାବିତ ନୂଆ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ କହିଛନ୍ତି । ହ୍ୱାଟସଆପର ଗ୍ଲୋବାଲ ସିଇଓ ୱିଲ କାଥକାର୍ଟଙ୍କୁ ଚିଠି ଲେଖିଛି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ । ପ୍ରାଇଭେସି ପଲିସି, ତଥ୍ୟ ହସ୍ତାନ୍ତର ଓ ସେୟାରିଂ ପଲିସି ନେଇ ସରକାର ପ୍ରଶ୍ନ ପଚାରିଥିବା ବେଳେ ଏହାର ଉତ୍ତର ରଖିବାକୁ ହ୍ୱାଟସଆପକୁ କୁହାଯାଇଛି ।
ପ୍ରାଇଭେସି ପଲିସିକୁ ନେଇ ସନ୍ଦେହ ଓ ଚର୍ଚ୍ଚା ପରେ ନିକଟରେ ସ୍ପଷ୍ଟୀକରଣ ରଖିଛି ହ୍ୱାଟ୍ସଆପ । ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ବାର୍ତ୍ତା ଦେଇ କମ୍ପାନୀ କହିଥିଲା ଯେ, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ ରହିଛି କମ୍ପାନୀ । କମ୍ପାନୀ ପକ୍ଷରୁ ନୂଆ ପଲିସି ଘୋଷଣା ପରେ ଏହାକୁ ନେଇ ସାରା ବିଶ୍ୱରେ ସମାଲୋଚନା ହୋଇଛି । ଏପରି ସ୍ଥିତିକୁ ଦେଖି ବ୍ୟବହାରୀକାରୀଙ୍କ ପାଇଁ ଶନିବାର ଦିନ ବଡ ଘୋଷଣା କରିଥିଲା କମ୍ପାନୀ । ପ୍ରାଇଭେସୀ ପଲିସିକୁ ଗ୍ରହଣ କରିବା ସମୟକୁ ୩ମାସ ପାଇଁ ସ୍ଥଗିତ ରଖିଛି କମ୍ପାନୀ । ହ୍ୱାଟ୍ସଆପ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଥିଲା ଯେ, ଫେବୃୟାରୀ ୮ତାରିଖରେ କୌଣସି ହ୍ୱାଟ୍ସଆପ୍ ଆକାଉଣ୍ଟ ଡିଲିଟ୍ କରିବାକୁ ପଡିବ ନାହିଁ । ସୂଚନାଯୋଗ୍ୟ ଯେ, ଭାରତରେ ହ୍ୱାଟସଆପର ସବୁଠୁ ଅଧିକ ବ୍ୟବହାରକାରୀ ଅଛନ୍ତି ।